ଓଡ଼ିଆ ଆଇଏଏସଙ୍କୁ ମରଣୋତ୍ତର ‘ପଦ୍ମଶ୍ରୀ’…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗୁଜୁରାଟ କ୍ୟାଡ଼ରର ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ଦେଶର ଅନ୍ୟତମ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ପୁରସ୍କାର ମିଳିବ। ପ୍ରଶାସନିକ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିବଂଗତ ଶ୍ରୀ ମହାପାତ୍ରଙ୍କୁ ଏହି ସମ୍ମାନ ମିଳିବ। ୨୦୨୧ ଜୁନ୍ ମାସରେ ଶ୍ରୀ ମହାପାତ୍ର କୋଭିଡ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ‘ପଦ୍ମ’ ପୁରସ୍କାର ତାଲିକାରେ ଆଇଏଏସ୍ ଶ୍ରୀ ମହାପାତ୍ରଙ୍କୁ ମରଣୋତ୍ତର ‘ପଦ୍ମଶ୍ରୀ’, ପ୍ରତିଭା ରାୟଙ୍କୁ ‘ପଦ୍ମଭୂଷଣ’ ଓ ଓଡ଼ିଶାର ଅନ୍ୟ ୫ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ମଧ୍ୟ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା ହୋଇଛି । ଓଡ଼ିଆ ଆଇଏଏସ୍ ଶ୍ରୀ ମହାପାତ୍ର ଗୁଜୁରାଟ କ୍ୟାଡ଼ରର ଆଇଏଏସ୍ ଭାବେ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଥିଲେ । ସେ କେନ୍ଦ୍ରରେ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କର କୋଭିଡରେ ମୃତ୍ୟୁ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ‘ମନ କି ବାତ’ କାର୍ଯ୍ୟକ୍ରମରେ ତାଙ୍କୁ କର୍ମଯୋଗୀ ଭାବେ ଅଭିହିତ କରିଥିଲେ । ୧୯୬୨ ଏପ୍ରିଲ ୨୨ରେ ଭୁବନେଶ୍ୱରରେ ଜନ୍ମିତ ଶ୍ରୀ ମହାପାତ୍ର ଚଳିତବର୍ଷ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ । ଶ୍ରୀ ମହାପାତ୍ର ପ୍ରଥମ ଓଡ଼ିଆ ପ୍ରଶାସନିକ ଅଧିକାରୀ ଯିଏ ମରଣୋତ୍ତର ଭାବେ ପଦ୍ମ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *