ପୁଲିସ୍ କୁ ଲୋକେ କହିଲେ ଫାଇନ୍ ଦିଅ…!

ଏଥର ସମ୍ଭାଳ ବ୍ୟୁରୋ(ଭଦ୍ରକ)- ପୁଲିସ୍ ଚଢ଼ୁଛି ଅନଫିଟ୍ ଗାଡ଼ି! ଗାଡ଼ିର ଫିଟନେସ୍ କି ଇନ୍ସ୍ୟୁରାନ୍ସ ପେପର୍ ନାହିଁ। ଆଉ ସେହି ଗାଡ଼ିରେ ପାଟ୍ରୋଲିଂ କରି ବିଭିନ୍ନ ସ୍ଥାନରେ ଲୋକଙ୍କ ଗାଡ଼ି ଅଟକାଇ ଚେକିଂ କରୁଥିଲା ପୁଲିସ୍। ହେଲେ ଏହି ଚେକିଂ ପୁଲିସ୍ ଉପରେ ଭାରୀ ପଡ଼ିଛି। ଓଲଟା ଲୋକମାନେ ପୁଲିସ ଗାଡିକୁ ଚେକିଂ କରିବାକୁ ଆଗେଇ ଆସିଛି। ଯାହା ଫଳରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୁଲିସ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀରେ।ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ପାଳଦାବାଙ୍କରେ ପୁଲିସ୍ ଜନସାଧାରଣଙ୍କ ଗାଡ଼ିର କାଗଜପତ୍ର, ହେଲମେଟ ଓ ମାସ୍କ ଚେକିଂ କରୁଥିଲା। ଯାହାର ଯାହା ନଥିଲା, ପୁଲିସ୍ ସେମାନଙ୍କ ଠାରୁ ସେହି ଅନୁସାରେ ଫାଇନ ଆଦାୟ କରୁଥିଲା। ଯେଉଁମାନଙ୍କର ଫାଇନ୍ କଟାଯାଇଥିଲା, ସେଥିମଧ୍ୟରୁ କିଛି ଓଲଟା ପୁଲିସ ଗାଡ଼ିର ମଧ୍ୟ ଚେକିଂ କରିଥିଲେ। ହେଲେ ପୁଲିସ୍ ଯେଉଁ ଗାଡ଼ିରେ ପାଟ୍ରୋଲିଂ କରୁଥିଲା, ସେହି ଗାଡ଼ିର ଅନେକ ଡକ୍ୟୁମେଣ୍ଟ ନଥିବା ଜାଣିବାକୁ ମିଳିଥିଲା। ପୁଲିସ ବ୍ୟବହାର କରୁଥିବା ବୋଲେରୋ OD-22 G-9867 ଗାଡ଼ିଟିର ଫିଟନେସ୍ ଓ ଇନସ୍ୟୁରାନ୍ସ ସରିଯାଇଥିବା ଅନଲାଇନ ପୋର୍ଟାଲରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇପଡିଥିଲେ। ସ୍ଥାନୀୟ ଲୋକେ କହିଥିଲେ ଯେ ପୁଲିସ ଯେଉଁ ବିନା ଡକ୍ୟୁମେଣ୍ଟ ଗାଡ଼ିର ବ୍ୟବହାର କରୁଛି, ଆଗ ତା’ର ଫାଇନ୍ କଟାଯାଉ। ଆଉ ତା’ ପରେ ସେମାନଙ୍କର ଫାଇନ୍ କଟାଯିବ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ। ଏହାକୁ ନେଇ ସେଠାରେ ପୁଲିସ ଓ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲ। ଏହାର ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *