ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମରାମତି ହେବାର ଗୋଟିଏ ସପ୍ତାହ ପରେ ରାସ୍ତାରୁ ପିଚୁ ଉଠି ଯାଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କଟକ ଜିଲ୍ଲା ଚୌଦ୍ୱାର ବ୍ଳକ୍ ମହିଷାଲଣ୍ଡା ପଞ୍ଚାୟତରୁ। ଚୌଦ୍ୱାର ବ୍ଲକର ମାଛପଙ୍ଗୀ ଠାରୁ ଦୁଧିଆନାଳୀ ପର୍ଯ୍ୟନ୍ତ ଲମ୍ବିଛି ୫ କିଲୋମିଟର ରାସ୍ତା। ପିଚୁ ଉଠି ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବାବେଳେ ସପ୍ତାହେ ତଳେ ତାର ମରାମତି କରାଯାଇଥିଲା। ରାସ୍ତାଟିର ମରାମତି ପାଇଁ ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାର ମରାମତି ଦାୟିତ୍ୱ ଜଣେ ଠିକାଦାରକୁ ଦେଇଥିଲା। ତେବେ ରାସ୍ତା ମରାମତି କାମ ସରିବାର ସପ୍ତାହ ପରେ ଏଥିରୁ ଖଣ୍ଡ ଖଣ୍ଡ ହୋଇ ପିଚୁ ଉଠି ଯାଉଥିବା ଅଭିଯୋଗ କରିଛନ୍ତି ଲୋକେ। ନିମ୍ନମାନର କାମ କରିବା ଯୋଗୁ ପିଚୁ ଉଠି ଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ଯୁବ ନେତା ଅଭୟ ବାରିକ କହିଛନ୍ତି, ରାସ୍ତା ମରାମତି ପାଇଁ ୫୨ ଲକ୍ଷ ଟଙ୍କା ଆସିଥିଲା। ସେଥିରୁ ୪ରୁ ୫ ପାଞ୍ଚ ଲକ୍ଷ ଖର୍ଚ୍ଚ କରି ପିଚୁ ପକାଇ ଠିକାଦାର କାମ ସାରି ଦେଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ତରତରିଆ ଭାବରେ ଅଳ୍ପ ପଇସାରେ କାମ ସାରି ଦେଇଛନ୍ତି। ଏନେଇ ଗ୍ରାମବାସୀମାନେ ଚୌଦ୍ୱାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଥିଲେ । ଅଭିଯୋଗ ପାଇ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚାନ୍ଦିନୀ ସୁମନ ସାହୁ, କନିଷ୍ଠ ଯନ୍ତ୍ରୀ ସଂଜୀବ ରାୟ ଘଟଣା ସ୍ଥଳରେ ପହଞ୍ଚି ଠିକାଦାରଙ୍କ ସହିତ ଆଲୋଚନା କରିଥିଲେ । ଠିକାଦାର କହିଛନ୍ତି, ଏହା ରାସ୍ତାର ମରାମତି କାମ ମାତ୍ର କିଛି ଦିନ ହେଲା ସରିଥିଲା। ରାସ୍ତାକୁ ଯେମିତି ମରାମତି କରାଯିବା କଥା ସେମିତି କରାଯାଇଥିଲା। କିନ୍ତୁ ମରାମତି ପରେ କିଛି ଲୋକ ଏହି ରାସ୍ତାକୁ ତାଡ଼ି ପକାଇଥିଲେ। ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି। ସହକାରୀ ଯନ୍ତ୍ରୀ ଚାନ୍ଦିନୀ ସୁମନ ସାହୁ କହିଛନ୍ତି, ଟ୍ରାକ୍ଟର ଚାଲୁଥିବାରୁ ରାସ୍ତାରେ ପିଚୁ ଉଠି ଯାଇଛି। ଯାହାବି କିଛି ଖରାପ କାମ ହୋଇଛି, ତାକୁ ଖୁବ୍ଶୀଘ୍ର ମରାମତି କରାଯିବ।