ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାଇପ ଜଳ ପ୍ରକଳ୍ପରେ ହାଇଦ୍ରାବାଦ ଆଇଆଇଟିର ଜାଲ୍ ରିପୋର୍ଟ ଦେଖାଇ ରାଜ୍ୟ ସରକାର ପ୍ରକଳ୍ପ ମଂଜୁର କରିଛନ୍ତି। ଏହି ଜାଲ୍ ରିପୋର୍ଟ ଦେଲା କିଏ ଓ ସରକାର କିଭଳି ଏହି ପ୍ରକଳ୍ପକୁ ମଞ୍ଜୁର କଲେ ତା’ର ତଦନ୍ତ କ୍ରାଇମବ୍ରାଂଚ କରୁ ବୋଲି କଂଗ୍ରେସ କହିବା ସହ ଠିକାଦାର ସଂସ୍ଥାକୁ ତୁରନ୍ତ କଳା ତାଲିକାଭୁକ୍ତ ପାଇଁ ଦାବି କରିଛି। କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ଜାଲ ରିପୋର୍ଟ ଦେଖାଇ ରାଜ୍ୟ ସରକାର ଏହାକୁ ମଞ୍ଜୁର କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ହିଁ ପ୍ରଥମେ ଖୁଲାସା କରିଥିଲା । ଏବେ ଆରଟିଆଇ ତଥ୍ୟ ରାଜ୍ୟ ସରକାରଙ୍କୁ ଜାଲିଆତିକୁ ସ୍ପଷ୍ଟ ଦିବାଲୋକରେ ଧରା ପକେଇ ଦେଇଛି। ଖରସ୍ରୋତା ନଦୀ ଉପରେ ଭଦ୍ରକ ଜିଲ୍ଲା ପାଇଁ ହେଉଥିବା ୧ ହଜାର କୋଟି ଟଙ୍କାର ସଂପୂର୍ଣ୍ଣ ମେଗାପାଇପ ଜଳ ପ୍ରକଳ୍ପଟି ସବୁଠୁ ଏକ ବଡ଼ ଦୁର୍ନୀତି ବୋଲି ଆଇଆଇଟି ହାଇଦ୍ରାବାଦ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟରୁ ପ୍ରମାଣିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଇଆଇଟିର ଜାଲି ରିପୋର୍ଟ ରାଜ୍ୟ ଇତିହାସର ସବୁଠାରୁ କଳଙ୍କିତ ଘଟଣା ବୋଲି କଂଗ୍ରେସ କହିଛି। ପରିବେଶ ମଂଜୁରୀ ପାଇଁ ଜାଲ ରିପୋର୍ଟ ପ୍ରଦାନ କରିବା ଏକ ଧର୍ତ୍ତବ୍ୟ ଅପରାଧ, ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ଆରଡବ୍ଲୁଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ମକଦମା ରୁଜୁ କରାଯିବା ପାଇଁ କଂଗ୍ରେସ ଦାବି କରୁଛି। ଯେହେତୁ ଜାଲ ରିପୋର୍ଟ ବଳରେ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି ତେଣୁ ଧରାପଡ଼ିବା ପରେ ସଂପୂର୍ଣ୍ଣ ପ୍ରକଳ୍ପ ବେଆଇନ ଏବଂ ଅବୈଧ ତେଣୁ ତୁରନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛିି । ଏଭଳି ଏକ ବିରାଟ ଦୁର୍ନୀତି ସମ୍ଭବପର ହେବା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଭୂମିକାକୁ ଏଡ଼ାଇ ଦିଆଯାଇ ନପାରେ ଯେଉଁଥିପାଇଁ ବିଧାୟକ ପ୍ରତାପ ଦେବଙ୍କ ସହ ଅନ୍ୟ ବିଜେଡ଼ି ନେତା ମୁହଁ ଖୋଲୁନାହାଁନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ଜାଲ ସାର୍ଟିଫିକେଟ ଆସିଲା କେଉଁଠୁ, କିଏ ଏହି ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରିଛି ଏହାର ତଦନ୍ତ ସରିବା ଯାଏ ଗ୍ରାମୀଣ ଜଳ ଯୋଗାଣ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଉ ଏବଂ ସଂପୃକ୍ତ ଠିକାଦାର ସଂସ୍ଥାକୁ ରାଜ୍ୟରେ ବ୍ଲାକଲିଷ୍ଟ କରାଯାଉ ବୋଲି ଶ୍ରୀ ନାୟକ କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏହି ଘୋଟାଲାରେ କୌଣସି ଭୂମିକା ନାହିଁ ତେବେ କାଳବିଳମ୍ବ ନକରି ଜାଲ ରିପୋର୍ଟ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥି, ଚିନ୍ମୟ ସୁନ୍ଦର ଦାସ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here