ଚନ୍ଦ୍ରପୁରରେ ଆଶୀର୍ବାଦ ଯୋଜନାରୁ ବଞ୍ଚିତ ଅନାଥ ଶିଶୁ…!
!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଜିଲ୍ଲାର ସବୁଠୁ ପଛୁଆ ବ୍ଲକ୍ ଚନ୍ଦ୍ରପୁରର ଅନାଥ ଶିଶୁଙ୍କ ପାଇଁ ଅଭିଶପ୍ତ ପାଲଟିଛି ସରକାରଙ୍କ ଆଶୀର୍ବାଦ ଯୋଜନା।ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ବ୍ଲକର ଜଣେ ବି ଶିଶୁ ଏଯାବତ୍ ଏହି ଯୋଜନାରେ ଉପକୃତ ହୋଇ ପାରିନାହାଁନ୍ତି।ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର।ଅନାଥ ଶିଶୁଙ୍କ ଆବଶ୍ୟକ କାଗଜପତ୍ର ଶିଶୁ ସୁରକ୍ଷା କମିଟି ନିକଟରେ ଦାଖଲ କରିବାରେ ଚନ୍ଦ୍ରପୁର ସିଡିପିଓ ବିଫଳ ହୋଇଥିବାରୁ କୈଫୟତ ତଲବ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।କରୋନା କାରୁଣ୍ୟ ପରେ ବାପା,ମାଆଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ପଦକ୍ଷେପ ନେଇଛନ୍ତି ସରକାର।ରାଜ୍ୟ ସରକାର ଆଶୀର୍ବାଦ ଏବଂ କେନ୍ଦ୍ର ସରକାର ପିଏମ୍ କେୟାରର୍ସ ଯୋଜନା ମାଧ୍ୟମରେ ଶିଶୁଙ୍କ ଦାୟିତ୍ବ ନେବାକୁ ଆଗଭର ହୋଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି।

୨୦୨୦ ଏପ୍ରିଲ୍ ୧ ତାରିଖରୁ ୧୫ ସେପ୍ଟେମ୍ବର ୨୦୨୧ ମଧ୍ୟରେ ଶିଶୁମାନେ ଉଭୟ ବାପା,ମାଙ୍କୁ ହରାଇଥିଲେ ଆଶୀର୍ବାଦ ଯୋଜନାରେ ମାସିକ ୨୫୦୦, ପରିବାରର ରୋଜଗାରକ୍ଷମ ବ୍ୟକ୍ତି ବାପା କିମ୍ବା ମାଆ ଜଣଙ୍କୁ ହରାଇଥିଲେ ମାସିକ ୧୫୦୦ ଟଙ୍କାର ଆର୍ଥିକ ସହାୟତା ୧୮ ବର୍ଷ ପର୍ଯ୍ୟନ୍ତ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।ସେହିପରି କରୋନାରେ ବାପା ଓ ମାଙ୍କୁ ହରାଇଥିବା ଶିଶୁଙ୍କୁ ପିଏମ୍ କେୟାରର୍ସ ଯୋଜନାରେ ମାଗଣା ଶିକ୍ଷା ସହ ୧୮ ବର୍ଷ ହେବା ପରେ ୧୦ ଲକ୍ଷ ଟଙ୍କାର ବୀମା,୨୫ ବର୍ଷ ପରେ ଉଚ୍ଚ ଶିକ୍ଷା ପାଇଁ ସୁଧ ବିହୀନ ଋଣ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।ଉଭୟ ସରକାରଙ୍କ ଯୋଜନାର ସୁଫଳ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ଏହି ଅଭିଯାନକୁ ବ୍ଲକ୍ ଓ ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ କରିଛି।ବ୍ଲକସ୍ତରରେ ଶିଶୁଙ୍କୁ ଚିହ୍ନଟ ଲାଗି ସିଡିପିଓ,ଜିଲ୍ଲା ଶିଶୁ ସୁରକ୍ଷା କମିଟି ମିଳିତ ଭାବେ କାର୍ଯ୍ୟ କରିବାକୁ ନିର୍ଦେଶ ହୋଇଛି।ଜିଲ୍ଲାର କେବଳ ଚନ୍ଦ୍ରପୁରକୁ ଛାଡ଼ିଲେ ଅନ୍ୟ ସମସ୍ତ ବ୍ଲକରେ ଏହି ଯୋଜନା ମାଧ୍ୟମରେ ଶିଶୁ ଉପକୃତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସୁଦ୍ଧାର ଜିଲ୍ଲାର ୮୫୬ ଅନାଥ ଓ ବାପା, ମା’ ଛେଉଣ୍ଡ ଶିଶୁଙ୍କୁ ଚିହ୍ନଟ କରାଯାଇଛି।

