ପାଇଖାନା କୋଠରୀରେ ୫ବର୍ଷ ଧରି ବିତୁଛି ୯ଜଣଙ୍କ ଜୀବନ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗଞ୍ଜାମ)- ମୁଣ୍ଡ ଗୁଞ୍ଜିବାକୁ ଯାଗା ନାହିଁ । ଭିଟାମାଟିରେ ନିଜ ଭାଗକୁ ପଡ଼ିଥିବା ଦୁଇହାତ ଘର ବିକ୍ରି କରି ପୋଲସରା ମୌଜା ତଥା ଖଣ୍ଡୁରୁ ପଞ୍ଚାୟତ ଅଧୀନରେ ଥିବା ଦେଉଳପଲ୍ଲୀରେ ନିଜ ଚାଷଜମିରେ ମାଟି ଝାଟିରେ ଗୋଟିଏ ବଖରା ଆଜବେଷ୍ଟ ଘର ତିଆରିକରି ବସବାସ କରୁଥିଲେ । ଗତ ୫ବର୍ଷ ତଳେ କଳମ୍ବ ପଞ୍ଚାୟତରୁ ସ୍ୱଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ନିର୍ମାଣ କରିଥିଲେ । ଆଶା କରିଥିଲେ ଆବାସ ଯୋଜନାରେ ଘର ଖଣ୍ଡେ ମିଳିବ । କିନ୍ତୁ ଭିଟାମାଟି ଛାଡ଼ିବାର ଦଶ ବର୍ଷ ପରେ ମଧ୍ୟ ତାହା ମିଳିଲା ନାହିଁ । ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ଦୁଇଟି କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ତାହା ଗୋଟାଏ ଛାତ ତଳେ ଦୁଇ ଭାଗ ହୋଈ ନିର୍ମାଣ ହୋଇ ଥିବାରୁ ଗୋଟିଏ ପାଇଖାନାର ଅର୍ଥରାଶି ମିଳିଥିଲା । ଏହା ପରେ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେବାରୁ ପାଇଖାନା ଘରର ଦୁଇଟି ଟଏଲଟ୍ ପ୍ୟାନକୁ ବାହାର କରି ସମତୁଲ କରି ତାହାକୁ ବାସ ଉପଯୋଗୀ କରି ବସବାସ କଲେ ଗୋଟିଏ ପରିବାରର ନଅଜଣ ସଦସ୍ୟ ।ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ । ବହୁ ବର୍ଷ ବିତିଯାଇଥିଲେ ମଧ କିଭଳି ଜନ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ପଡ଼ିନାହିଁ । ଏହିଭଳି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଛକ ନିକଟସ୍ଥ ଦେଉଳପଲି ଗ୍ରାମରେ ସତ୍ୟବାନ ପ୍ରଧାନଙ୍କ କ୍ଷେତ୍ରରେ । ସତ୍ୟବାନଙ୍କ ପରିବାର କହିଲେ ବୃଦ୍ଧା ମାଆ ସାଙ୍ଗକୁ ପୁଅ ବୋହୂ,ତିନି ନାତୁଣୀ ସହ ସତ୍ୟବାନ ଓ ତାଙ୍କ ସ୍ତ୍ରୀ ସୁଲତାଙ୍କୁ ମିଶି ମୋଟ ୯ ଜଣ ସଦସ୍ୟ । ସ୍ତ୍ରୀ ସୁଲତା, ପୁଅ ପ୍ରଶାନ୍ତ ଦିବ୍ୟାଙ୍ଗ ହୋଇଥିବା ବେଳେ ସତ୍ୟବାନଙ୍କ ଦୁଇବର୍ଷ ତଳେ ଦୁର୍ଘଟଣାରେ ଗୋଡ ଭାଙ୍ଗିଯାଇଥିବା ବେଳେ ମାଆ ସାରିଆଙ୍କ ଆଖିକୁ ଦେଖା ଯାଉନଥିବା ଜଣାପଡ଼ିଛି । ଦୀର୍ଘ ଦଶ ବର୍ଷ ଧରି ସତ୍ୟବାନ ଦେଉଳପଲିରେ ସପରିବା ବସବାସ କରୁଥିଲେ ମଧ୍ୟ ସମସ୍ତଙ୍କ ପରିଚୟ ପତ୍ର ଯଥା, ଭୋଟ ଆଧାରକାର୍ଡ, ରାସନ କାର୍ଡ ସବୁ ରହିଛି କଳମ୍ବ ପଞ୍ଚାୟତ ଅଧିନରେ । ଆବାସ ଖଣ୍ଡେ ପାଇବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି, ସରପଞ୍ଚ , ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଗୁହାରି କଲେମଧ୍ୟ କୌଣସି ସୁଫଳ ମିଳୁନଥିବା ନେ଼ଇ କୋହଭରା କଣ୍ଠରେ ସତ୍ୟବାନ ଓ ସୁଲତା କହିଛନ୍ତି । ଉକ୍ତ ସମସ୍ୟାକୁ ନେଇ କଳମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ପୂର୍ବରୁ ସରପଞ୍ଚ ନିଜସ୍ଵ କ୍ଷମତାରେ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ଖଣ୍ଡେ ବାଣ୍ଟି ପାରୁଥିଲେ କିନ୍ତୁ ବର୍ତ୍ତମାନ ସେହି କ୍ଷମତା ନାହିଁ । ଗତ ଫାଇଲିନ ପ୍ରଭାବିତ ତାଲିକାରେ ତାଙ୍କ ନାମ ନଥିଲା ଏପରିକି ନିର୍ମାଣ ଶ୍ରମିକ ଆବାସ ଯୋଜନା ତାଲିକାରେ ମଧ୍ଯ ତାଙ୍କର ନାମ ନାହିଁ । ଏନେଇ ସେ ବିଡ଼ିଓଙ୍କ ସହ ଆଲୋଚନା କରିଛନ୍ତି ଏବଂ ଜିଲ୍ଲାପାଳଙ୍କୁ ନିବେଦନ କରିବେ ବୋଲି କହିଛନ୍ତି । ପୋଲସରା ବିଡ଼ିଓ ସୁରଞ୍ଜନ ସାହୁଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ଉକ୍ତ ହିତାଧିକାରୀ ବର୍ତ୍ତମାନ ପୋଲସରା ମୌଜାରେ ରହୁଛନ୍ତି ତେଣୁ ପଞ୍ଚାୟତ ତରଫରୁ ଆବାସ ଯୋଜନାରେ ସାମିଲ୍ କରାଯାଇପାରିବ ନାହିଁ । ଏନେଇ ପୋଲସରା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛି ହିତାଧିକାରୀଙ୍କ ସମସ୍ତ ପରିଚୟ ପତ୍ରର ଠିକଣା ବଦଳିବା ପରେ ସହରାଞ୍ଚଳ ଆବାସ ଯୋଜନାରେ ସାମିଲ୍ କରାଯିବ । କିନ୍ତୁ ବାସ୍ତବରେ ସତ୍ୟବାନଙ୍କ ପରିବାର ଯଦି ପୋଲସରା ମୌଜାରେ ପାଇଖାନା ଘରେ ରହୁଛନ୍ତି ତାଙ୍କୁ କଳମ୍ବ ପଞ୍ଚାୟତ ଅଧିନରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଲା କେମିତି ? ବର୍ତ୍ତମାନ ପାଇଖାନା ଘରେ ବସବାସ କରିବା ପ୍ରସଙ୍ଗ ଉଠିବା ପରେ ମୌଜା ବିବାଦକୁ ନେଇ ବ୍ଲକ୍ ପ୍ରଶାସନ ଏନ୍ଏସି ପ୍ରଶାସନକୁ ଦାୟିତ୍ୱ ଲଦୀ ଦେଉଛି । ପ୍ରଶାସନିକ ପଶାପାଲିରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ପାଇଖାନା ଘରେ ଜୀବନ ଅତିବାହିତ କରୁଛି ।

Leave a Reply

Your email address will not be published. Required fields are marked *