ପିପିଲି ପାଇଁ ବିଜେଡିର ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ; ଅରୁଣ ଓ ରଣେନ୍ଦ୍ର ବାଦ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପିପିଲି ଉପନିର୍ବାଚନ ପାଇଁ ବିଜେପି ପରେ ବିଜେଡି ପକ୍ଷରୁ ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ପିପିଲି ନିର୍ବାଚନ ପ୍ରଚାର କାର୍ଯ୍ୟରୁ ଦଳ ନିଜର ବରିଷ୍ଠ ତଥା ପୁରୁଖା ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରିଥିବାବେଳେ ମନ୍ତ୍ରୀ ଅରୁଣ ସାହୁ , ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ ଦାସଙ୍କ ସମେତ ଅଧିକାଂଶ ମନ୍ତ୍ରୀଙ୍କୁ ଦୂରେଇ ରଖିଛି। କେବଳ ପୁରୀ ଜିଲ୍ଲାର ୨ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ତୁଷାରକାନ୍ତି ବେହେରାଙ୍କ ସମେତ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଷ୍ଟାର ପ୍ରଚାରକ ତାଲିକାରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ, ହେଡକ୍ୱାର୍ଟର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ପୁରୀ ସାଂସଦ ପିନାକୀ ମିଶ୍ର, ଦଳର ଉପସଭାପତି ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କ ସମେତ ଯୁବ,ଛାତ୍ର ଓ ମହିଳା ସଂଗଠନର ମୁଖିଆ ଯଥାକ୍ରମେ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ଓ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ପ୍ରୀତିରଞ୍ଜନ ଘଡ଼େଇ, ଉମାକାନ୍ତ ସମାନ୍ତରାୟ, ପ୍ରଣବ ବଳବନ୍ତରାୟ, ବିଭୂତି ବଳବନ୍ତରାୟ ଓ ସୁଧୀର କୁମାର ସାମଲଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ଦଳ ସାମିଲ କରିଛି। ବିଜେଡି ପକ୍ଷରୁ ଏନେଇ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଥିବାବେଳେ ଏହି ନେତାମାନେ ଆସନ୍ତା ୨୦ରୁ ୨୭ତାରିଖ ପର୍ଯ୍ୟନ୍ତ ପିପିଲିରେ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାରର ମଙ୍ଗ ଧରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *