ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନିର୍ବାଚନୀ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଦୁଇ ନମ୍ବରରେ ରହିଛି ବିଜେଡି ସରକାର। ୨୦୧୮ ଅପେକ୍ଷା ୨୦୧୯ ମସିହାରେ ପ୍ରଚାର ପ୍ରସାରରେ ୨୪୯ ପ୍ରତିଶତ ଅଧିକ ବ୍ୟୟ ହୋଇଥିବା ନେଇ ଏସ୍ବିଆଇ ଇକୋରାପ୍ ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏସ୍ବିଆଇ ନିଜ ରିପୋର୍ଟରେ ଦର୍ଶାଇଛି, ୨୦୧୯ ମସିହାରେ ପୂର୍ବ ବର୍ଷ ତୁଳନାରେ ବିଭିନ୍ନ ଯୋଜନାର ବିଜ୍ଞାପନ ଓ ପ୍ରଚାର ପ୍ରସାର ଲାଗି ବିଜେଡି ସରକାରରେ ବ୍ୟୟ ୨୪୯ ପ୍ରତିଶତ ବଢ଼ିଛି। ତେବେ ଏକ ନମ୍ବରରେ ରହିଛି ଦିଲ୍ଲୀର ଅରବିନ୍ଦ କେଜରିୱାଲ ସରକାର। ପୂର୍ବବର୍ଷ ତୁଳନାରେ ନିର୍ବାଚନ ବର୍ଷରେ କେଜରିୱାଲ ସରକାରଙ୍କ ବିଜ୍ଞାପନ ବାବଦକୁ ୪୯୩ ପ୍ରତିଶତ ବଢ଼ିଛି। ଏହି କାରଣରୁ ସେମାନେ ପୁଣି ବିଜୟୀ ହୋଇଛନ୍ତି ବୋଲି ଏସ୍ବିଆଇ ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ଲୋକଙ୍କ ଅର୍ଥକୁ ଶାସକ ଦଳ ବିଜେଡି ସରକାରୀ ଯୋଜନାର ବାହାନା କରି ଭୋଟ ହାତେଇବା ପାଇଁ ଖର୍ଚ୍ଚ କରୁଛି। ଯାହାକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି।ସେପଟେ ରାଜ୍ୟ ସରକାରଙ୍କ ଗତ ୧୦ ବର୍ଷର ବଜେଟ ତଥ୍ୟ ବିଶ୍ଳେଷଣ କହୁଛି, ସରକାରୀ ବିଜ୍ଞାପନ, ହୋର୍ଡିଂ ବାବଦରେ ୮୮୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ସାଧାରଣ ନିର୍ବାଚନ ଲାଗି ୨୦୧୮-୧୯ ଆର୍ଥିକ ବର୍ଷ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ସର୍ବାଧିକ ୨୬୯ କୋଟି ୧୩ ଲକ୍ଷ ଟଙ୍କା। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ପରିମାଣ ୭୭ କୋଟି ୫ ଲକ୍ଷ ଟଙ୍କା ଥିଲା ବେଳେ ନିର୍ବାଚନ ପର ବର୍ଷ ଖର୍ଚ୍ଚ ହୋଇଛି ୮୯ କୋଟି ୮୬ ଲକ୍ଷ ଟଙ୍କା। ଏହି ସମାନ ଚିତ୍ର ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବି ଦେଖିବାକୁ ମିଳିଥିଲା। ୨୦୧୬-୧୭ ରେ ରାଜ୍ୟ ସରକାର ପ୍ରଚାର ପ୍ରସାର ଲାଗି ୫୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ। କିନ୍ତୁ ନିର୍ବାଚନ ଲାଗି ସଂଶୋଧିତ ବ୍ୟୟକୁ ୮୧ କୋଟି ୨୦ ଲକ୍ଷ ଟଙ୍କାକୁ ବଢ଼ାଇ ଦେଇଥିଲେ। ଏନେଇ ଓଡ଼ିଶା ଇଲେକ୍ସନ ୱାଚ ସଂଯୋଜକଙ୍କ ମତ, ଶାସନରେ ଥିବା ଦଳଗୁଡ଼ିକ ଭୋଟର ହାତେଇବାକୁ ସରକାରୀ ପ୍ରଚାର ପ୍ରସାର ବାବଦ ଅର୍ଥକୁ ବ୍ୟବହାର କରିଥାନ୍ତି। କିନ୍ତୁ ନିର୍ବାଚନର ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ ଏଭଳି ବ୍ୟୟବରାଦରେ ରୋକ ଲାଗିବା ଆବଶ୍ୟକ ବୋଲି ଓଡ଼ିଶା ଇଲେକ୍ସନ ୱାଚ ସଂଯୋଜକ ରଞ୍ଜନ ମହାନ୍ତି କହିଛନ୍ତି।