ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଆଜି ୪ଦିନିଆ ଓଡ଼ିଶା ଗସ୍ତରେ ଆସି ପହଂଚିବା ସହ ସେମାନଙ୍କର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ସହ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ନିଜର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ସାଧାରଣ ନାଗରିକଙ୍କ ଭଳି ହୀରାଖଣ୍ଡ ଏକ୍ସପ୍ରେସରେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନତା ଆଶୀର୍ବାଦ ଲୋଡ଼ିବେ ବୋଲି ଜଣାପଡ଼ିଛି। ଏହି ଜନ ଆଶୀର୍ବାଦ ଯାତ୍ରା ଅବସରରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ବୈଷ୍ଣବ ୪ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ରହି ଦୁଇ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ଦୁଇ ମନ୍ତ୍ରୀ ସିଧାସଳଖ ପୁରୀ ଗସ୍ତ କରିଥିଲେ। ବାଟରେ ତାଙ୍କୁ ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ବିଭିନ୍ନ ଛକରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଉଭୟ ମନ୍ତ୍ରୀ ଭୁବନେଶ୍ୱର ଫେରିବା ପରେ ରାଜ୍ୟ କାର୍ଯ୍ୟାଳୟରେ ସେମାନଙ୍କୁ ଦଳର ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ବହୁମୁଖୀ ବିକାଶ ହେଉଛି ବିଜେପିର ପ୍ରାଥମିକତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂଳ ପ୍ରୟାସ ହେଉଛି ପୂର୍ବଦ୍ୟୋୟର ବିକାଶ। ରାଜ୍ୟର ଗରିବ, ବଂଚିତ, ଶୋଷିତ ବର୍ଗଙ୍କ କଲ୍ୟାଣ ପାଇଁ ତ୍ୱରିତ୍ୱ ପଦକ୍ଷେପ ସ୍ୱରୂପ ଆମେ ସମସ୍ତେ କାର୍ଯ୍ୟ କରିବୁ। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରେଳ ଷ୍ଟେସନ ବୁଲି ଦେଖିବା ସହ ସାଧାରଣ ନାଗରିକଙ୍କ ଭଳି ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ରାୟଗଡ଼ା ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ସହ ବିଜେପିର କିଛି ନେତା ମଧ୍ୟ ରାୟଗଡ଼ା ଯାଇଛନ୍ତି। ସେ ନିଜର ଜନ ଆଶୀର୍ବାଦ ଯାତ୍ରାରେ ଆସନ୍ତାକାଲି ରାୟଗଡ଼ାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କୋରାପୁଟ ଗସ୍ତ କରିବେ ଓ ସେଠାରେ ରାତ୍ରିଯାପନ କରିବେ। ଶ୍ରୀ ବୈଷ୍ଣବ ୨୧ ତାରିଖରେ କୋରାପୁଟରୁ ବାହାରି ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର, ପାପଡ଼ାହାଣ୍ଡି, କୋକସରା, ଜୁନାଗଡ ଦେଇ ଭବାନୀପାଟଣାଠାରେ ପହଂଚି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ରାତ୍ରଯାପନ କରିବେ । ସେହିପରି ୨୨ ତାରିଖରେ ସେ ଭବାନୀପାଟଣାରୁ କେସିଙ୍ଗା, ଟିଟିଲାଗଡ଼, କଂଟାବାଞ୍ଜି, ପାଟଣାଗଡ଼ ଦେଇ ବଲାଙ୍ଗୀରଠାରେ ପହଂଚିବେ। ସେଠାରେ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ସଂଗଠନ ଓ ବର୍ଗର ଲୋକମାନଙ୍କ ସହ ଆଲୋଚନା କରି ରାତିରେ ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବେ। ସେହିପରି ଆସନ୍ତାକାଲିଠୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ନିଜର ଜନ ଆଶୀର୍ବାଦ ଯାତ୍ରାରେ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଏହି ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ବିଜେପି ସଂଗଠନ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଦେଶର ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡ଼ିବେ। ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ।

LEAVE A REPLY

Please enter your comment!
Please enter your name here