ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ଦେଢ଼ମାସ ବ୍ୟବଧାନରେ ଦଳର ବରିଷ୍ଠ ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣିଥରେ ସିଧାସଳଖ ଟାର୍ଗେଟ୍ କରିବାପରେ ଦଳୀୟ ସଂଗଠନ ଓ ପାୱାର କରିଡରରେ କମ୍ପନ ସୃଷ୍ଟି ହୋଇଛି। ଉଭୟ ଦଳ ଓ ସରକାର ସାମୁହିକ ନିଷ୍ପତ୍ତିରେ ନୁହେଁ ବରଂ ଦୁଇ ଜଣଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିରେ ଚାଲୁଛି ତାହା ସୌମ୍ୟ ଇଙ୍ଗିତ କରାଇବା ସହ ପରୋକ୍ଷରେ ନବୀନଙ୍କ ଅପାରଗତା ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସୌମ୍ୟଙ୍କ ଏଭଳି ଆଭିମୁଖ୍ୟ ଏବେ ବିଜେଡି ପାଇଁ କଣ୍ଟା ସଦୃଶ ହୋଇଛି, ଯାହାକୁ ଦଳ ଗିଳିପାରୁନି କିମ୍ବା କାଢ଼ିପାରୁ ନ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ବାର୍ଷିକ ଉତ୍ସବରେ ଯୋଗ ଦେଇ ଶାସକ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସିଧାସଳଖ ନବୀନଙ୍କ ଦଳୀୟ ସଂଗଠନ  ଓ ସରକାର ପରିଚାଳନାର ଅନ୍ଧାରୀ ଦିଗ ଆଡ଼କୁ ଇଙ୍ଗିତ କରିଛି। ନବୀନ ନିଜେ ରାଜ୍ୟର କିମ୍ବା ରାଜ୍ୟବାସୀଙ୍କ କିଛି ବୁଝନ୍ତି ନାହିଁ, ବିଜେଡି ସଂଗଠନ ଓ ସରକାରରେ ବବି ଓ ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ଆଖିବୁଜି ସମ୍ମତି ଜଣାନ୍ତି ବୋଲି ସନ୍ଦେଶ ଦେବାକୁ ସୌମ୍ୟ ପଛାଇ ନାହାନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ୨୧ବର୍ଷ ଧରି କ୍ଷମତାରେ ଥିବା ଗୋଟିଏ ଦଳର ପରିଚାଳନା ତଥା ସରକାର ଯେ ସାମୁହିକ ନିଷ୍ପତ୍ତି ନୁହେଁ ବରଂ ଏକଛତ୍ରବାଦ ନୀତିରେ ପରିଚାଳିତ ହେଉଛି ତାହା ମଧ୍ୟ ପରୋକ୍ଷରେ  ସୌମ୍ୟ ଇଙ୍ଗିତ କରିଛନ୍ତି। ଏହାସହିତ ବବି ଓ ପାଣ୍ଡିଆନଙ୍କର ନିଜସ୍ୱ ସ୍ୱାର୍ଥ ମଧ୍ୟ ଥାଇପାରେ ଓ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭ୍ରମିତ ମଧ୍ୟ କରିବାର ଆଶଙ୍କା ବି ସୌମ୍ୟ କରିଛନ୍ତି। ବିଜେଡି ବିଧାୟକ ତଥା ବରିଷ୍ଠ ଉପସଭାପତିଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ସଙ୍ଗୀନ ଓ ଗୁରୁତର ହେଲେ ମଧ୍ୟ ବିଜେଡି ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନି।

ଅନ୍ୟପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, “ସୌମ୍ୟ ବାବୁ ଯାହା କହିଛନ୍ତି, ତାହା ଭୁଲ୍ ନୁହେଁ। ଦଳ ଓ ସରକାର ଏବେ କେମିତି ଚାଲିଛି ତାହା ସମସ୍ତେ ଜାଣନ୍ତି। ଏଠି ବିରୋଧୀ ଦଳ ସ୍ଥାଣୁ ହୋଇ ସରକାରୀ ଦଳର ଇଙ୍ଗିତରେ କାର୍ଯ୍ୟ କରୁଛି। ଗଣମାଧ୍ୟମ ବି ଭୟ ଓ ଚାପ ମଧ୍ୟରେ କେବଳ ଶାସକ ଦଳକୁ ବାହାବା ଦେବାରେ ବ୍ୟସ୍ତ ରହିଛି। ରାଜ୍ୟର ବୁଦ୍ଧିଜୀବୀ ଓ ଶିକ୍ଷିତ ବର୍ଗଙ୍କ ସ୍ୱର ମଧ୍ୟ କ୍ଷୀଣ। ଯାହାର ଫାଇଦା ବିଜେଡିର ତଥାକଥିତ କ୍ଷମତାକେନ୍ଦ୍ର ଉଠାଉଛନ୍ତି । ଦଳର ନେତାମାନେ, ଏପରିକି କ୍ୟାବିନେଟ ମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟ ସଚିବ ପାହ୍ୟାର ଅଫିସର ପର୍ଯ୍ୟନ୍ତ କେହି ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉନାହାନ୍ତି। ତେଣୁ ରାଜ୍ୟରେ ଶାସନ କେମିତି ଚାଲିଛି ତାହା ଟିକେ ଗଭୀର ଭାବେ ଅନୁଧ୍ୟାନ କଲେ ଯେକେହି ଜାଣିପାରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଦେଢ଼ ମାସ ତଳେ ସୌମ୍ୟ ନିଜର ମାଲିକାନା ଥିବା ସମ୍ବାଦପତ୍ରରେ ଏକ ସମ୍ପାଦକୀୟରେ କୋଭିଡ୍ ମୃତ୍ୟୁ ପ୍ରସଙ୍ଗ ଉଠାଇ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ସୌମ୍ୟ ଏବେ ବିଜେଡି ପାଇଁ ଏଭଳି କଣ୍ଟା ପାଲଟିଛନ୍ତି ଯାହାଙ୍କୁ ବିଜେଡି ନା କାଢ଼ି ପାରୁଛି , ନା ଢ଼ୋକି ପାରୁଛି । ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଦୂରଗାମୀ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କାରେ ବି ବିଜେଡି ଚୁପ୍ ରହିବାକୁ ବାଧ୍ୟ ହେଉଛି ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା।

LEAVE A REPLY

Please enter your comment!
Please enter your name here