!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର ) – ଓଡ଼ିଶା ରାଜ୍ୟ ର ଏକ ଉପାନ୍ତ ଅଞ୍ଚଳ ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଚର୍ଦାପାଲି ଗ୍ରାମପଞ୍ଚାୟତ ଛତିଶଗଡ ସୀମାରେ ବିଖ୍ୟାତ ଶୈବପୀଠ ଅବସ୍ଥିତ । ପାହାଡପର୍ବତ ଘେରା ଏହି ଶୈବପୀଠ ଛତିଶଗଡ ରାଜ୍ୟ ପଟୁ ବୋହି ଆସିଥିବା ସୂରଙ୍ଗୀନଦୀ କୂଳରେ ବାବା ଧବଳେଶ୍ଵର ଋପେ ବହୁ ଆବାହନ କାଳରୁ ପୂଜା ପାଇ ଆସୁଛନ୍ତି। ଓଡିଶା-ଛତିଶଗଡ ସୀମାରେ ଦଣ୍ଡାୟମାନ ଝାଞ୍ଜିପାହାଡ କୁ ଯେଉଁ ସ୍ଥାନରେ ନଦୀ ସୂରଙ୍ଗୀ ଲକ୍ଷ୍ୟଭେଦ କରି ଓଡ଼ିଶା ପଟକୁ ପ୍ରଭାହିତ ହୁଏ,ସେହି ପାହାଡ଼ ବକ୍ଷରେ ଏକ ପ୍ରକାଣ୍ଡ ଗଣ୍ଡ ସୃଷ୍ଟି ହୋଇଛି ଏହାହିଁ ‘ଦେବଦର୍ହା ଗଣ୍ଡ ନାମରେ ପରିଚିତ। ଏହା ଓଡ଼ିଶା ଛତିଶଗଡ ସୀମାରେ ରହିଥିବାରୁ ତଥା ଛତିଶଗଡ କୁ ବର୍ଷର ସବୁଦିନିଆ ଯାତାୟତ ର ସୁବିଧା ଥିବାହେତୁ ଛତିଶଗଡ ରାଜ୍ୟ ର ଶ୍ରଦ୍ଧାଳୁ ଭକ୍ତଙ୍କ ଯାତାୟତ ପ୍ରାୟ ସମୟ ରେ ଲାଗି ରହିଥାଏ। ସୂରଙ୍ଗୀ ନଦୀକୂଳର ପାହାଡ଼ ଦେଶରେ ଏକ ଶିବ ମନ୍ଦିର ନିର୍ମାଣ ହୋଇଛି। ଭାରତ ସ୍ୱାଧୀନତା ର ଅବ୍ୟବହିତ ପୂର୍ବରୁ ଏହି ମନ୍ଦିର କୁ ପଦ୍ମପୁର ରାଜା ଲାଲ ରାଜେନ୍ଦ୍ର ସିଂ ବରିହା ୧୯୧୯ ମସିହାରେ ରେ ମନ୍ଦିର ନିର୍ମାଣ ଆରମ୍ଭ କରି ୧୯୩୨ମସିହାରେ ପୂର୍ଣ୍ଣାଙ୍ଗ ଋପଦେଇଥିବା କିମ୍ବଦନ୍ତୀ କହେ। ତାଙ୍କର ବଂଶଜ ରାଜା ବୀର ବୀକ୍ରମାଦିତ୍ୟ ସିଂ ବରିହା ଯିଏକି ଏ ଅଞ୍ଚଳର ଅନେକ ଥର ବିଧାୟକ, ମନ୍ତ୍ରୀ ରହିଥିବାବେଳେ ବର୍ତ୍ତମାନ ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ମଧ୍ୟ ଉକ୍ତ ବଂଶ ର ଉତ୍ତରାଧିକାରୀ ଅଟନ୍ତି। ଓଡ଼ିଶା ପଟୁ ଗଲେ ପଦ୍ମପୁର ଉପଖଣ୍ଡ ର ମୁଖ୍ୟ କାର୍ଯ୍ୟାଳୟ ଠାରୁ ୧୨ କିଲୋମିଟର ଦୂର ରେ ଲଖମରା ଗ୍ରାମ ପଡ଼େ। ଲଖମରା ଠାରୁ ଅନତି ଦୂରରେ ଅଙ୍ଗନଦୀ ପ୍ରବାହିତ। ଅଙ୍ଗନଦୀ ପାର ହେଲାପରେ ଡାହାଣ ପଟକୁ ଲମ୍ବି ଯାଇଛି ଦେବଦର୍ହା ପର୍ଯ୍ୟନ୍ତ ରାସ୍ତା ପ୍ରାୟ ବ୍ୟବଧାନ ୩କିଲୋମିଟର ତେଣୁ ପଦ୍ମପୁର ରୁ ପ୍ରାୟ ୧୫ କିଲୋମିଟର ଦୂର ରେ ଅବସ୍ଥିତ ଏହି ଦେବଦର୍ହା ଗଣ୍ଡ ଏବଂ ବାବା ଧବଳେଶ୍ଵର ଶୈବପୀଠ। ଚାରିପଟେ ସବୁଜ ବନାନୀ ପାହାଡ଼ ପର୍ବତ ଘେରା ଆଢ଼ୁଆଳରେ ଏହି ଶୈବପୀଠ ର ପ୍ରାକୃତିକ ଦୃଶ୍ୟପଟ ଅତି ରମଣୀୟ। ଜଙ୍ଗଲ ମଧ୍ୟରେ ଅବସ୍ଥିତ ହୋଇଥିଲେ ମଧ୍ୟ ସଂଧ୍ୟା ସମୟରେ ପର୍ଯ୍ୟଟକ ମାନେ ଏହାର ସୈାନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶକୁ ଛାଡି ଫେରିବା ପାଇଁ କୁଣ୍ଠାବୋଧ କରିଥାନ୍ତି।
ମନ୍ଦିର ଠାରୁ ନଦୀ ଭିତର କଡ଼ ଦେଇ କିଛିଦୂର ଅତିକ୍ରମ କଲାପରେ ଅଛି ଅକାତକାତ ପାଣିର ସ୍ତିରତା ର ଦେବଦର୍ହା ଗଣ୍ଡ। ଆଜି ପର୍ଯ୍ୟନ୍ତ କେହି ଏହାର ଗଭୀରତା କେତେ ମାପି ପାରିନାହାନ୍ତି କିମ୍ବା ସରକାରଙ୍କ ଦ୍ୱାରା ମଧ୍ୟ ଏହାର ପ୍ରୟାସ କରାଯାଇନାହିଁ। ଗଣ୍ଡରେ ଅଛନ୍ତି ବିଶାଳକାୟ ମାଛ। କିଛିବର୍ଷ ପୂର୍ବେ ଜଣେ ବୃଦ୍ଧା ମହିଳା ନାମ ତାଙ୍କର ମାତା ବୁଢ଼ୀ ଏଠାରେ ରହୁଥିଲେ ଏବଂ ମାଛ ମାନଙ୍କ ନାମଧରି ଡାକି କିଛି ଖାଦ୍ୟ ପକାଇଲେ ବଡ଼ବଡ଼ ମାଛ ସବୁ ଦେଖାଯାଉଥିଲେ lଉକ୍ତ ମାତାବୁଢୀ ଆଉ ନାହାନ୍ତି। ଏହାର ଆଉ ଏକ ବିଶେଷତ୍ଵ ପୂର୍ଣ୍ଣ ତଥ୍ୟ ରହିଛି ଯେ,ପ୍ରଭୁ ରାମଚନ୍ଦ୍ର,ଭାଇ ଲକ୍ଷ୍ମଣ ଏବଂ ଦେବୀ ସୀତା ଙ୍କ ସହିତ ବନବାସ ପାଇଁ ଏହି ପଥଦେଇ ଗଲାବେଳେ ଏଠାରେ ରାତ୍ରି ଯାପନ କରିଥିଲେ। ସକାଳେ ଦେବୀ ସୀତାଙ୍କ ପାଇଁ ଲକ୍ଷ୍ମଣ ଶରବିଦ୍ଧ କରି ପଥର ଉପରେ ଏକ କୁଣ୍ଡ ନିର୍ମାଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାହା ସୀତାକୁଣ୍ଡ ନାମରେ ବିଦିତ।

ରାତ୍ରୀଯାପନ କରିଥିବା ପାହାଡ଼ ର ନାମ ମଧ୍ୟ ସୀତା ପାହାଡ଼ ଥିବା ଅଞ୍ଚଳ ର ବୟୋବୃଦ୍ଧା ଙ୍କ ମୁଖରୁ ଶୁଣାଯାଇଥିବା ଆଲୋଚନା କରାଯାଏ। ତାହା କାଳକ୍ରମେ ଅପଭ୍ରଂଶ ହୋଇ ବର୍ତ୍ତମାନ ଭତା ଡଙ୍ଗର୍ (ପାହାଡ଼) ନାମରେ ପରିଚିତ।
ସୂରଙ୍ଗୀନଦୀ ଆରପଟେ ଝାଞ୍ଜୀ ପାହାଡ଼। ସ୍ୱାଧିନତା ପୂର୍ବରୁ ମନ୍ଦିର ନିର୍ମାଣ ଶେଷ ହେବାପରେ ପଦ୍ମପୁର ରାଜା ଉକ୍ତ ଝାଞ୍ଜୀ ପାହାଡ଼ ରେ ଏକ ବଙ୍ଗଳା ନିର୍ମାଣ ଆରମ୍ଭ କରିଥିଲେ ତାର ଭଗ୍ନାବଶେଷ ବର୍ତ୍ତମାନ ସୁଦ୍ଧା ରହିଛି। ଏହା ରାଜାଙ୍କ ଏକ ଗ୍ରୀଷ୍ମ ନିବାସ ଋପେ ରହିଥାନ୍ତା ଏବଂ ମନ୍ଦିର ପାଦଦେଶ ରୁ ଗ୍ରୀଷ୍ମ ନିବାସ ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ ର ଯୋଜନା ଥିବା ରାଜାଙ୍କ ଉତ୍ତରାଧିକାରୀ ଙ୍କ ଠାରୁ ଶୁଣିବାକୁ ମିଳେ। ଏହି ମନ୍ଦିର ଟି ବର୍ତ୍ତମାନ ଅଞ୍ଚଳବାସୀ ଙ୍କ ପରିଚାଳନାଧିନ। ବହୁ ଆଡମ୍ବର ନହେଲେ ମଧ୍ୟ ବର୍ଷ ର ପ୍ରତ୍ୟେକ ପର୍ବପର୍ବାଣୀ ରେ ଏଠାରେ ଶ୍ରଦ୍ଧାଳୁଙ୍କ ବିଶେଷ ସମାଗମ ହୁଏ। ଶ୍ରାବଣ ପୂର୍ଣ୍ଣିମା ଏବଂ ଶିବରାତ୍ରି ଏହି ଦୁଇଦିନ ଶ୍ରଦ୍ଧାଳୁଙ୍କ ଭିଡ ଅସମ୍ଭାଳ ହୋଇପଡେ। ଏହି ପରିଚାଳନା କମିଟି ରେ ରାଜାଙ୍କ ଉତ୍ତରାଧିକାରୀ ଶ୍ରୀମାନ ପ୍ରତାପ କେଶରୀ ସିଂ ବରିହା ଏବଂ ତାଙ୍କ ସାନଭାଇ ଶ୍ରୀମାନ ସୁରେନ୍ଦ୍ର ସିଂ ବରିହା ଆବଶ୍ୟକୀୟ ଯୋଗଦାନ ତଥା ସାହାଯ୍ୟ ଦେଇ ଆସୁଛନ୍ତି। ଏହି ଧବଳେଶ୍ଵର ଶୈବପୀଠ ତଥା ଦେବଦର୍ହା ଗଣ୍ଡ ଏଭଳି ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଥିବାରୁ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ର ଦୃଷ୍ଟି କୁ ଆସି ପାରିନାହିଁ। କାରଣ ଅଙ୍ଗନଦୀ ଯାତାୟତ ରେ ବାଧକ ସାଜେ। ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ କତୃପକ୍ଷ ଙ୍କ ସାମାନ୍ୟତମ ଦୃଷ୍ଟି କୁ ଆସିଲେ ଏହା ଓଡିଶାରାଜ୍ୟ ର ଗୈାରବ ଶାଳୀ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହୋଇ ପାରିବ ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ। ସଂପୃକ୍ତ ବିଭାଗ, ବିଭାଗୀୟ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟକ ଯେ’କି ରାଜବଂଶର ଜଣେ ସଦସ୍ୟ ଅଟନ୍ତି ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବୀ ହୁଏ।

LEAVE A REPLY

Please enter your comment!
Please enter your name here