!!! ବରଗଡ଼ ଜିଲ୍ଲା ପଦ୍ମପୁର ରୁ ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ‌(ପଦ୍ମପୁର/ବରଗଡ) – ବରଗଡ଼ ଜିଲ୍ଲା ର ଗନ୍ଧମାର୍ଦ୍ଦନ ପର୍ବତ ରେ ବହୁ ଦର୍ଶନୀୟ ସ୍ଥାନ ରହିଛି ଏଥିମଧ୍ୟରୁ ଜଳମହାଦେବ ଅନ୍ଯତମ ।ପୂର୍ବେ ଭୋଜପୁରଗଡ଼ ରେ ତନ୍ତ୍ରପୀଠ ଭାବରେ ପରିଚିତ ଥିବା ଏହି ଭୋଜପୁର ଗଡ଼ ପରବର୍ତ୍ତୀ ସମୟରେ ପାଟଣା ରାଜା ଭୋଜରାଜ ଙ୍କ ଗଡ଼ ହିସାବରେ ଦଖଲହୋଇ ପନ୍ଦର କିଲୋମିଟର ବ୍ଯାସ ମଧ୍ୟରେ ଗଡ଼ ତିଆରି ହୋଇଥିଲା । ପର୍ଯ୍ୟାୟ କ୍ରମେ ବୁଢାସମ୍ବର ଜମିଦାର ଙ୍କୁ ଗଡ଼ ହସ୍ତାନ୍ତର ପରେ ବୁଢାସମ୍ବର ଜମିଦାରଙ୍କ ପରିସୀମାରେ ଭୋଜପୁର ଗଡ଼ ରହିଥିଲା ।ପରବର୍ତ୍ତୀ ସମୟରେ ଗଡ଼ ନଷ୍ଟ ହେବାରେ ଲାଗିଲା ଓ ଏବେ ତାର ଧ୍ବଂସାବଶେଷ ରହିଛି ।ପ୍ରାକୃତିକ ଶୋଭା ଭିତରେ ଏହି ଗଡ଼ ପରିସରରେ ପାଟମାହେଶ୍ବରୀ, ସମଲେଶ୍ବରୀ ଙ୍କ ସମେତ ଜଳମହାଦେବ ପୂଜାର୍ଚ୍ଚନା ପାଉଛନ୍ତି ।କୌଣସି ଗୋଟିଏ ମଧ୍ୟ ମନ୍ଦିର ଏଠାରେ ନାହିଁ। ସମସ୍ତ ଦେବାଦେବୀ ଙ୍କ ସମେତ ଜଳମହାଦେବ ପ୍ରାକୃତିକ ପରିବେଶ ମଧ୍ୟରେ ଖୋଲା ଆକାଶ ତଳେ ଗର୍ଭ ଗୃହ ରେ ପୂଜା ପାଉଛନ୍ତି ।

ବର୍ଷ ର ଶିବରାତ୍ରି ସମେତ ଶ୍ରାବଣ ମାସରେ ଶ୍ରଦ୍ଧାଳୁମାନେ ପ୍ରାୟ ଆଠ କିଲୋମିଟର ପାହାଡ ପର୍ବତ ଚଢ଼ି ଶିବ ଙ୍କ ଆଶିର୍ବାଦ ନେବାପାଇଁ ବହୁଦୂର ରୁ ଆସିଥାନ୍ତି । ଗନ୍ଧମାର୍ଦ୍ଦନ ରେ ତିନୋଟିଗଡ଼- ଭୋଜପୁର, ହୁମେରଗଡ଼ ଓ ବାମନଗଡ଼,ସହ ୨୨ଗୋଟି ଝରଣା ରହିଛି ଓ ଏଥିମଧ୍ୟରୁ ଦଶ ଗୋଟି ଚିରସ୍ରୋତା ଝରଣା କୂଳୁକୂଳୁ ନାଦରେ ବହି ଚାଲିଛି । ଏଥିମଧ୍ୟରୁ ଭୋଜପୁର ଗଡ଼ର ଜଳମହାଦେବ ଅନ୍ୟତମ । ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଥିବା ଭୋଜପୁରଗଡ଼ ରୁ ଏହି ଚିରସ୍ରୋତା ଝରଣା ବାହାରି ପୂର୍ବ ଦିଗକୁ ଗତି କରିଛି । ଏ ଝରଣା ଭିତରେ ଏକ ଗର୍ତ୍ତ ଭିତରେ ପାଣି ରେ ବୁଡ଼ି ଠାକୁର ରହି ଥିବାରୁ ବୁଢ଼ା ସମ୍ବର ଜଳମହାଦେବ ନାମରେ ପରିଚିତ । ଏହି ଜଳମହାଦେବ ନିକଟକୁ ଯିବାକୁ ହେଲେ ପଦ୍ମପୁର ସହର ଠାରୁ ଗୋଟିଏ ରାସ୍ତା ବୁଢାସମ୍ବର ଗାଁ ରୁ ଗନ୍ଧମାର୍ଦ୍ଦନ ଉପରକୁ ଯାଇଛି ଓ ଅନ୍ୟ ରାସ୍ତା ବୁଡେନ ବତିପଥର ଗାଁ ରୁ ଯାଇଛି ।ଉଭୟ ପଟରୁ ପ୍ରାୟ ଆଠ କିଲୋମିଟର ରାସ୍ତା । ମୁଖ୍ୟତଃ ଆଦିବାସୀ ଙ୍କ ବସତି ଏ ଅଞ୍ଚଳରେ ଅଧିକ ହୋଇଥିବାରୁ ଆଦିବାସୀ ଙ୍କ ପୂଜାର୍ଚ୍ଚନା ସେଠାରେ ଅଧିକ ।ବରଗଡ଼ ଓ ବଲାଙ୍ଗୀର ଦୁଇ ଜିଲ୍ଲା ୮ଖଣ୍ଡ ଗାଁ ବତିପଥର, ଅମରାଖୋଲ, ବୁଢାସମ୍ବର, ଚାବରିପାଲି, ଠୁଟିଭଟା, ମଲଦା, ଖଲାବାହାଲ, ଗୌରଜୁରୀ ଲୋକମାନେ ଏ ପୀଠ ଉପରେ ବିଶ୍ବାସ ସହ ପୂଜାର୍ଚ୍ଚନା କରନ୍ତି । ଜଙ୍ଗଲ ଚଢ଼ି ଉପରକୁ ଯିବାକୁ ପଡୁଥିବା ରୁ ସମସ୍ତ ଙ୍କ ପକ୍ଷରେ ଯିବା ସମ୍ଭବ ହେଉ ନ ଥିବାରୁ ଲୋକମାନେ ସହଜରେ ପହଞ୍ଚି ପାରନ୍ତି ନାହିଁ । ପ୍ରାକୃତିକ ଶୋଭା ରେ ଭରପୁର ଚିରଶ୍ରୋତା ଝରଣା ଅତି ଚମତ୍କାର ପରିବେଶ ର ଏକ ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ ।କନ୍ଧ ଆଦିବାସୀ ଙ୍କ ଜଳମହାଦେବ ପୀଠ ର ପୂର୍ବରୁ କନ୍ଧ ପୂଜକମାନେ ପୂଜାର୍ଚ୍ଚନା କରିଆସୁଥିଲେ ।ଲୋକକଥା ଅନୁସାରେ ଜଳମହାଦେବ ର ଶେଷପୂଜକ ହେଉଛନ୍ତି କୀର୍ତ୍ତନ ମଲ୍ଲିକ ଓ ତାଙ୍କ ପରେ ବହୁବର୍ଷ ପୂଜକ ନଥିବା ବେଳେ ଗତ ଦୁଇହଜାର ମସିହାରେ ଜଣେ ତପସ୍ୱୀ ସେଠାରେ ରହି ପୂଜାର୍ଚ୍ଚନା କରୁଛନ୍ତି ।କନ୍ଧ ବାବା ନାମରେ ସ୍ଥାନୀୟ ଭୋଜପୁର ଗଡ଼ ଜଳମହାଦେବ ରେ ପରିଚିତ ଏହି ବାବା ଓ ସ୍ଥାନୀୟ ଗ୍ରାମବାସୀମାନଙ୍କ ସହଯୋଗ ରେ ପ୍ରାକୃତିକ ପରିବେଶ ଜଳମହାଦେବ ପୀଠ ର ରକ୍ଷଣା ବେକ୍ଷଣ ହୋଇ ପାରୁଛି। ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି ଯେ, ଜଳମହାଦେବ ଠାରେ ଗୋଟିଏ ନଳକୂପ ଓ ଗୋଟିଏ ମଣ୍ଡପ ର ଆବଶ୍ୟକତା ରହିଛି । ଏଇ ଲୁକ୍କାୟିତ ପୀଠକୁ ରାଜ୍ୟ ସରକାର ଏକ ପର୍ଯ୍ୟଟନ କ୍ଷେତ୍ର ଘୋଷଣା କଲେ ଭୋଜପୁରଗଡ଼ ଜଳମହାଦେବ ପର୍ଯ୍ୟଟକ ଙ୍କୁ ଅଧିକ ରୁ ଅଧିକ ଆକୃଷ୍ଟ କରିବା ସହ ଗନ୍ଧମାର୍ଦ୍ଦନ ର ଶୋଭା ଆହୁରି ବଢ଼ିପାରନ୍ତା।

LEAVE A REPLY

Please enter your comment!
Please enter your name here