ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କରୋନା ସଂକ୍ରମଣ କମୁଥିବାରୁ ଜାତୀୟ ରାଜଧାନୀରେ କଟକଣାକୁ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସିନେମା ହଲ ଠାରୁ ଆରମ୍ଭ କରି ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସ୍ପାକୁ ମଧ୍ୟ ଖୋଲିବାକୁ ସରକାର ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ଜାରି କରିଥିବା ନୂଆ ଗାଇଡଲାଇନ ଆସନ୍ତା ସୋମବାର ଠାରୁ କାର୍ଯ୍ୟକାରୀ ହେବ। ନୂଆ ଗାଇଡଲାଇନ ଅନୁଯାୟୀ, ସୋମବାର ଠାରୁ ଦିଲ୍ଲୀରେ ଥିବା ସମସ୍ତ ସିନେମା ହଲ ଖୋଲିବ। ତେବେ ୫୦% ଦର୍ଶକ ହିଁ ଏକକାଳୀନ ଫିଲ୍ମ ଦେଖିପାରିବେ। ସମସ୍ତ ମାସ୍କ ପିନ୍ଧିବେ ଓ ଗୋଟିଏ ଶୋ’ ପରେ ହଲକୁ ସାନିଟାଇଜ୍ କରି ଦ୍ୱିତୀୟ ଦଫାରେ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଏହି ନିୟମ ଥିଏଟର ଓ ମଲ୍ଟିପ୍ଲେକ୍ସ ପାଇଁ ମଧ୍ୟ ଲାଗୁ ହେବ। ବିଜନେଶ ଟୁ ବିଜନେଶ ପ୍ରଦର୍ଶନୀକୁ ମଧ୍ୟ ଆରମ୍ଭ କରାଯିବ। ହେଲେ ଏଥିରେ କେବଳ ବ୍ୟବସାୟ ସହ ଜଡ଼ିତ ଦର୍ଶକ ହିଁ ଆସିପାରିବେ। ଗାଇଡଲାଇନରେ ସ୍ପାଗୁଡ଼ିକୁ ଖୋଲିବା ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯାଇଛି। ଏଠାରେ ସଂକ୍ରମଣକୁ ରୋକିବା ପାଇଁ ଜାରି ପ୍ରୋଟକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସ୍ପାର କର୍ମଚାରୀମାନେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବେ ଓ ସ୍ପା ଖୋଲିବା ପୂର୍ବରୁ ସେମାନଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ହୋଇଥିବ। ସୋମବାର ଭୋର ୫ଟାରୁ ଦିଲ୍ଲୀର ମେଟ୍ରୋ ଓ ଡିଟିସି ବସ୍ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ସେବା ଆରମ୍ଭ କରିବ। ଯେତିକି ସିଟ୍ ସେତିକି ଲୋକ ବସ୍ ଓ ମେଟ୍ରୋରେ ଯିବା ଆସିବା କରିପାରିବେ। କେହି ବି ଛିଡ଼ା ହୋଇ ଯାତାୟାତ କରିପାରିବେ ନାହିଁ। ବସ୍ ଓ ମେଟ୍ରୋରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସେହିପରି ଏଗୁଡ଼ିକୁ ନିୟମିତ ସାନିଟାଇଜ ମଧ୍ୟ କରାଯିବ।
ଗାଇଡଲାଇନରେ ଆଉ କ’ଣ ସବୁ କୁହାଯାଇଛି
୧-ସମସ୍ତ ମାର୍କେଟ, ମାର୍କେଟ କମ୍ପ୍ଲେକ୍ସ ଓ ମଲ ଗୁଡ଼ିକ ସକାଳ ୧୦ଟାରୁ ରାତି ୮ଟା ଯାଏ ଖୋଲିବ।
୨-ରେଷ୍ଟୁରାଷ୍ଟଗୁଡ଼ିକ ସକାଳ ୮ଟାରୁ ରାତି ୧୦ଟା ଯାଏ ଏକକାଳୀନ ୫୦% ଲୋକଙ୍କୁ ବସାଇ ଖାଇବାକୁ ଦେଇପାରିବେ।
୩-ବାର ଗୁଡ଼ିକ ୫୦% ଲୋକଙ୍କୁ ବସାଇ ଦିନ ୧୨ଟାରୁ ରାତି ୧୦ଟା ଯାଏ ସେବା ଯୋଗାଇବେ।
୪-୫୦% ଦର୍ଶକଙ୍କୁ ନେଇ ସିନେମା ହଲ/ ଥିଏଟର ଓ ମଲ୍ଟିପ୍ଲେକ୍ସ ଚାଲିବ।
୫-ଦିଲ୍ଲୀ ମେଟ୍ରୋର ପରିବହନ ସେବା କୋଚ୍ର ୧୦୦% କ୍ଷମତାକୁ ନେଇ ଚାଲିବ।
୬-ଶୁଦ୍ଧିକ୍ରିୟାରେ ସର୍ବାଧିକ ୧୦୦ ଜଣ ଯୋଗ ଦେଇପାରିବେ।
୭-ବାହାଘରରେ ୧୦୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବେ।
୮-ଧାର୍ମିକ ଅନୁଷ୍ଠାନ ଖୋଲିବ। କିନ୍ତୁ କୌଣସି ଲୋକ ଆସିପାରିବେ ନାହିଁ।
୯-ଶିକ୍ଷାନୁଷ୍ଠାନ ପୂର୍ବଭଳି ବନ୍ଦ ରହିବ।
୧୦- ଦିଲ୍ଲୀରେ କୌଣସି ରାଜନୀତିକ, ଧାର୍ମିକ, କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ ସମାବେଶ ହୋଇପାରିବ ନାହିଁ।