ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବଂଶଧାରା ନଦୀ ଜଳ ବିବାଦକୁ ନେଇ ମାନ୍ୟବର ଅଦାଲତ ଙ୍କ ରାୟ ପ୍ରକାଶ ପାଇବା ପରେ ଆନ୍ଧ୍ର ସରକାର ନେରେଡି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବା ଆଭାଷ ପାଇବା ପରେ ପୁଣି ବଂଶଧାରା ଅବବାହିକା ଅଞ୍ଚଳ ବାସୀଙ୍କ ଚେତନା ଜାଗୃତ ହୋଇଛି । ଆମ ଅଞ୍ଚଳ ଜଳ ସମ୍ପଦରେ ଭରପୁର ଥିବାବେଳେ ଆମେ ସବୁବେଳେ ପ୍ରତାରିତ ହୋଇଆସିଛେ । ବଂଶଧାରା ଉପର ମୁଣ୍ଡରେ ଆମର ପ୍ରକଳ୍ପ ଦରକାର ଏହି ନାରା ନେଇ ପୁଣି ଆରମ୍ଭ ହୋଇଛି ଜନ ଆନ୍ଦୋଳନ । ଏହାକୁ ଉଜ୍ଜୀବିତ କରିବାଜୁ ପୂର୍ବଭଳି ଆଗେଇ ଆସିଛି ଗୁଣପୁର ଅଂଚଳରେ କାର୍ଯ୍ୟରତ ଲୋକ ଚେତନା ସଙ୍ଗଠନ ।

ବଂଶଧାରା ଜଳ ବିବାଦ ଆରମ୍ଭ ସହ ଓଡ଼ିଶା ସୀମା ନିକଟର ଅନତି ଦୂରରେ ଆନ୍ଧ୍ର ସରକାର ଙ୍କ ଦ୍ୱରା ନିର୍ମାଣ ହେବାକୁ ଯାଉଥିବା ନେରେଡି ଜଳ ପ୍ରକଳ୍ପ କୁ ବିରୋଧ କରି ସ୍ବର୍ଗତ କମ୍ରେଡ଼ ଭୁବନ ମୋହନ ପଟ୍ଟନାୟକ ଙ୍କ ପ୍ରୋତ୍ସାହନ ରେ ସମାଜସେବୀ ତଥା ଆଇନଜୀବୀ ପ୍ରଦୀପ ଦାଶ ଙ୍କ ନେତୃତ୍ୱରେ ବଂଶଧାରା ଅବବାହିକାରେ ଅବସ୍ଥିତ କ୍ଷତିଗ୍ରସ୍ତ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରିବା ସହ ବଂଶଧାରା ନଦୀର ଉପରେ ମୁଣ୍ଡରେ ଗୁଡାରି ନିକଟସ୍ଥ ପାଣି ଡଙ୍ଗର ଠାରେ ଓଡିଶା ସରକାରଙ୍କ ପକ୍ଷରୁ ଜଳ ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ର ସରକାର ଙ୍କ ପ୍ରସ୍ତାବିତ ନେରେଡି ପ୍ରକଳ୍ପକୁ ଉଚିତ ଜବାବ ଦେଇ ବଂଶଧାରା ଅବବାହିକା ଅଞ୍ଚଳକୁ ଶସ୍ୟଶ୍ୟାମଳା କରିବା ଦାବୀ ନେଇ ଆରମ୍ଭ ହୋଇଥିଲା ବିକାଶ କ୍ରାନ୍ତି ସାଇକେଲ ଯାତ୍ରା । ଏହା ୨୦୦୨ ମସିହା ଫେବୃୟାରୀ ମାସ ୨୭ ରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା ।

ସେତେବେଳର ଏହି ବିକାଶ କ୍ରାନ୍ତି ସାଇକେଲ ଯାତ୍ରାରେ ଭାଗ ନେଇଥିବା ପ୍ରଦୀପ ଦାଶ ,ପରମ ଶବର,ଜେମ୍ସ ଶବର,ସିପନ ଶବର,ସତ୍ୟ ଶବର,ବିମଳା ଶବର,ବିଜୟା ଶବର ଙ୍କ ସମେତ ଅନ୍ୟ ସହଯୋଗୀ ସମାଜସେବୀ କର୍ମକର୍ତ୍ତା ରାୟଗଡା ଜିଲ୍ଲା ଗୁଡାରି ନିକଟସ୍ଥ ମିନାଝୁଲା ଶୈବ ପିଠରୁ ସାଇକେଲ ଯାତ୍ରା ଆରମ୍ଭ କରି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଠାରେ ପହଞ୍ଚି ଥିଲେ । ଏହି ଦୀର୍ଘ ଦିନ ଯାତ୍ରା ସମୟରେ ଏମାନେ ବଂଶଧାରା ଅବବାହିକା ର ଗ୍ରାମ ଗୁଡିକୁ ଯାଇ ପଥପ୍ରାନ୍ତ ସଭା କରି ପାଣି ଡଙ୍ଗର ପ୍ରକଳ୍ପ ନିମନ୍ତେ ଦାବୀ ଉପସ୍ଥାପନା କରିବା ନିମନ୍ତେ ଜନ ସଚେତନତା ଜାଗୃତ କରିଥିଲେ । ଏହି ଯାତ୍ରାକୁ ସଫଳ ରୂପାୟନ ଦେବାନିମନ୍ତେ ସତେବେଳେ ସହଯୋଗ କରିଥିବା ବୁଦ୍ଧିଜୀବୀ ପ୍ରମୋଦ କୁମାର ସାହୁ, ଗୌରୀ ଶଙ୍କର ଦାଶ, ସମଜସେବୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ,ଉମା ଶଙ୍କର ଦାଶ ଓ ରଞ୍ଜିତ ପାଢୀ ଙ୍କ ସହସଯୋଗ ଏବଂ ପରିଚାଳନା କୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଥିଲା ।

ଏହାର ପରବର୍ତ୍ତୀ ସମୟରେ ଜନସଧାରଙ୍କ ଦାବୀ କ୍ରମେ ଧର୍ମକୁ ଆଖିଠାର ଭଳି ଗତ ୨୦୦୫ ମସିହାରେ ନବୀନ ସରକାରଙ୍କ ପକ୍ଷରୁ ଋଷିକୁଲ୍ୟା ଓ ବଂଶଧାରା ସଂଯୋଗୀ କରଣ ପ୍ରକଳ୍ପ ନିମନ୍ତେ ଶୁଭ ପକା ଯାଇ ସେମିତି ଛାଡି ଦିଆଯାଇଛି । ଯେଉଁଥି ପାଇଁ ଆନ୍ଧ୍ର ସରକାର ଙ୍କୁ ଏହା ନେରେଡି ପ୍ରକଳ୍ପ ନିର୍ମାଣର ବାଟ ସୁଗମ୍ୟ କରିଛି । ବର୍ତ୍ତମାନ ଏନେଇ ପୁଣି ଲୋକ ସଚେତନା ସଂଘଠନ ଓ ଗୁଣପୁର ନବ ନିର୍ମାଣ ସମିତି ପକ୍ଷରୁ ଜନ ଆନ୍ଦୋଳନ ତେଜିଛି । ଏହି ବିକ୍ଷଭୋ ରେ ଗୁଣପୁର ର ବହୁ ଜନ ସାଧାରଣ ସହଯୋଗ କରି ଥିଲେ । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ବିଜୟ ଗମାଙ୍ଗ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ,ବରିଷ୍ଠ ଆଇନଜୀବୀ ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ,ଶ୍ରୀ ଉମା ପଟ୍ଟନାୟକ,ପୂର୍ବତନ ବିଧାୟକ ରାମୂର୍ତି ଗମାଙ୍ଗ, ସାମାଜ ସେବୀ ଶ୍ରି ୱାଇ. ଗଣପତି ରାଓ, ଗୁଣପୁର ବିଜେପି ନଗର ସଭାପତି ଶ୍ରୀ ସ୍ରିନିବାସ ସ୍ଵାଇଁ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।  ଯେଉଁ ସରକାର ଦୀର୍ଘ ୧୫ ବର୍ଷ ମଧ୍ୟରେ ଅଞ୍ଚଳ ବାସୀଙ୍କ ଦାବିକୁ କର୍ଣ୍ଣପାତ କରି ନାହାନ୍ତି ଏବେ କଣ ସେହି ସରକାର ଙ୍କ କାନକୁ ଏହି ଦାବୀ ସୁଭିବ ତ ବୋଲି ପ୍ରଶ୍ନ ଉଠିଛି । ମାନ୍ୟବର ଅଦାଲତ ଙ୍କ ରାୟ ପରେ ପ୍ରସ୍ତାବିତ ନେରେଡି ପ୍ରକଳ୍ପର କାର୍ଯ୍ୟକ୍ଷମ ଅଞ୍ଚଳକୁ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ କର୍ମକାର୍ତ୍ତ ଙ୍କ ଗସ୍ତ, ଅନୁଧ୍ୟାନ ଓ ସମୀକ୍ଷା ଅଞ୍ଚଳ ବାସୀଙ୍କ ମନରେ ଆଶା ସଞ୍ଚାର କରିଛି । ଦେଖିବାକୁ ରହିଲା ସରକାର ଏ ନେଇ କଣ ପଦକ୍ଷେପ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here