ପୋଲାଭରମ୍ : ଏନଜିଟି ନିର୍ଦ୍ଦେଶ ବିରୁଦ୍ଧରେ ଓଡ଼ିଶାର ଆବେଦନକୁ ସ୍ୱୀକାର କଲେ ସୁପ୍ରିମକୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବହୁଚର୍ଚ୍ଚିତ ପୋଲାଭରମ୍ ପ୍ରକଳ୍ପ ମାମଲାରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)ଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ସ୍ୱୀକାର କରିବା ସହ ଅନୁଧ୍ୟାନ କରିବାକୁ ସମ୍ମତି ଦେଇଛନ୍ତି ଏକ କମିଟିର ସୁପାରିସ୍ ଆଧାରରେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ସରକାରକୁ ତୁରନ୍ତ ଏନଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗତ ସେପ୍ଟେମ୍ବର ମାସରେ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିରଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ, ଓଡ଼ିଶାର ଆବେଦନକୁ କୋର୍ଟ ଅନୁଧ୍ୟାନ କରିବେ । ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଏହି ମାମଲାରେ ଏନଜିଟି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଓଡ଼ିଶା ତା’ର ଆବେଦନରେ ଯୁକ୍ତି ବାଢ଼ିଛି। ଓଡ଼ିଶା ତା’ର ଆବେଦନରେ ଦର୍ଶାଇଛି ଯେ, ଏନଜିଟିଙ୍କ ପାଖରେ ଏହି ମାମଲାରେ ନା ନୋଟିସ୍ ଜାରି ହୋଇଛି ନା କୌଣସି ଶୁଣାଣି ଅବା ଓଡ଼ିଶା ତା’ର ପକ୍ଷ ରଖିଛି। ଗୋଟିଏ କମିଟିର ସୁପାରିସକୁ ଏନଜିଟି ସ୍ୱୀକାର କରି ତାକୁ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ପ୍ରକଳ୍ପ କର୍ତ୍ତୃପକ୍ଷ ସମେତ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ଏବଂ କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ମଧ୍ୟ କମିଟିର ବିଭିନ୍ନ ସୁପାରିସକୁ କାର୍ଯ୍ୟକାରୀ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ଅଭିଯୋଗ କରିଛି ଯେ, ପ୍ରକଳ୍ପ ସହ ଜଡ଼ିତ ଏହି ଗୁରୁତର ପ୍ରସଙ୍ଗକୁ ଅନୁଧ୍ୟାନ କରିବା କମିଟିର କ୍ଷମତା ବାହାରେ। ପ୍ରକଳ୍ପ ଯୋଗୁ ଆଦିବାସୀ ଲୋକମାନେ ବିସ୍ଥାପିତ ହେବେ ଓ ଓଡ଼ିଶାର କିଛି ଅଂଚଳ ଜଳମଗ୍ନ ହେବ। ଗତବର୍ଷ ସେପ୍ଟେମ୍ବର ମାସରେ ଏନଜିଟି ଏକ ନିର୍ଦ୍ଦେଶନାମା ଜାରି କରି ରାଜ୍ୟଗୁଡ଼ିକୁ ତୁରନ୍ତ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବାକୁ କହିଥିଲେ। ସୂଚନାଯୋଗ୍ୟ, ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ଆଦିବାସୀ ଅଧ୍ୟୁଷ୍ୟିତ ଅଂଚଳ ଜଳମଗ୍ନ ହେବ ଓ ବହୁ ଆଦିବାସୀ ଲୋକ ବିସ୍ଥାପିତ ହେବା ଦର୍ଶାଇ ଓଡ଼ିଶା ଏହି ପ୍ରକଳ୍ପକୁ ବିରୋଧ କରୁଛି। ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ ଦାବି କରି ୨୦୦୭ ମସିହାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Leave a Reply

Your email address will not be published. Required fields are marked *