!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତ କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ମୋହନା)- ୩ ଦଶନ୍ଧି ବିତିଲାଣି। ହେଲେ ସରିପାରୁନି ଛେଳିଗଡ଼ ବୃହତ ଜଳସେଚନ ପ୍ରକଳ୍ପ କାମ । ବ୍ୟୟ ଅଟକଳ ୫୭ କୋଟିରୁ ଆସି ପହଞ୍ଚିଲାଣି ୭୦୮କୋଟିରେ । ମାତ୍ର ମଝିରେ ବାଟ ଓଗାଳିଛି ବିସ୍ଥାପନ ସମସ୍ୟା । ପ୍ରଶାସନ କିନ୍ତୁ କହୁଛି ବିସ୍ଥାପନ ସମସ୍ୟା ଦୂର କରିବାକୁ ଚାଲିଛି ଯୋଜନା । ଖୁବ୍ଶୀଘ୍ର ଗଜପତି ଛେଳିଗଡ଼ ବୃହତ ଜଳସେଚନ ପ୍ରକଳ୍ପର କାମ ଆରମ୍ଭ ହେବ । ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ଛେଳିଗଡ଼ ଗାଁ ନିକଟ ଦେଇ ବହିଯାଇଥିବା ବଡ଼ଜୋର ନଦୀ ଉପରେ ଡ୍ୟାମ୍ ନିର୍ମାଣ ପାଇଁ ହୋଇଥିଲା ଯୋଜନା । ଏଥିପାଇଁ ୧୯୮୫ ମସିହାରେ ଜଳସଂପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ନକ୍ସା । ୧୯୮୯ରେ ୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା କାମ । ମାତ୍ର ୨୦୦୫ରେ ଏହା ୨ ଶହ କୋଟି ଏବଂ ୨୦୧୮-୧୯ରେ ଏହାର ବ୍ୟୟ ଅଟକଳ ୭୦୮ କୋଟିରେ ପହଞ୍ଚିଲାଣି ।
ତଥାପି ତୁଟୁନି ବିସ୍ଥାପନ ସମସ୍ୟା କି ଆରମ୍ଭ ହୋଇପାରୁନି କାମ । ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜମିରେ ଚାଷ କରିବା ସମ୍ଭବ ନୁହେଁ, ତା’ ଛଡ଼ା ଘର କରିବା ପାଇଁ ମିଳୁଥିବା ସହାୟତା ରାଶି ମଧ୍ୟ ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ । ଏନେଇ ବିସ୍ଥାପିତ ହେବାକୁ ଥିବା ପ୍ରମୋଦ କାର୍ଯ୍ୟୀ କହିଛନ୍ତି, ସରକାର ଆମକୁ ପାହାଡ଼ ଉପରେ ଥଇଥାନ କରିବାକୁ ଚାହୁଁଥିବା ବେଳେ ସେଠାରେ ଚାଷ କରିବାକୁ ଜାଗା ନାହିଁ। ପର୍ବତ ଉପରେ ଘର କରିବାକୁ ମିଳୁଥିବା ଟଙ୍କା ପର୍ଯ୍ୟାପ୍ତ ନୁହେଁ।