ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-ଜାତୀୟ ଡାକ୍ତର ଦିବସରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନାରୁ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରିବାରେ ଡାକ୍ତରଙ୍କ ଭୂମିକାକୁ ସେ ମନେ ପକାଇବ ସହ ତାଙ୍କ ସରକାର ମହାମାରୀର ମୁକାବିଲା ପାଇଁ ସବୁବେଳେ ସ୍ୱାସ୍ଥ୍ୟଭୂମିକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛି ବୋଲି କହିଛନ୍ତି। ଏଥିସହ ଏବେ ଦେଶ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଡାକ୍ତରମାନେ ଦିନ ରାତି ଏକ କରି ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। କରୋନା ରୋଗୀଙ୍କୁ ରକ୍ଷା କରିବା ପାଇଁ ଅନେକ ଡାକ୍ତର ପ୍ରାଣ ହରାଇଛନ୍ତି। ତଥାପି ସେମାନେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ଡାକ୍ତରମାନଙ୍କୁ ଖାଲିଟାରେ ଈଶ୍ୱରଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ ନାହିଁ। ସେମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କର ଜୀବନ ବଞ୍ଚାଉଥିବାରୁ ସେମାନଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଲୋକଙ୍କ ଜୀବନ ବଞ୍ଚାଇବାର ପୁଣ୍ୟ କାମ କରି ଅନେକ ଡାକ୍ତର ସେମାନଙ୍କ ଜୀବନ ଦେଇଛନ୍ତି ବୋଲି ମୋଦି କହିଛନ୍ତି। ଏହାବାଦ ଯୋଗକୁ ବୈଜ୍ଞାନିକ ପଦ୍ଧତିରେ ଆଗକୁ ନେବାକୁ ସେ ଆଇଏମଏକୁ ଆହ୍ୱାନ ଦେଇଛନ୍ତି। ମୋଦି କହିଛନ୍ତି, ଭାରତ ଆଜି ଲକ୍ଷାଧିକ ଦେଶବାସୀଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛି। ଏହାର ସମସ୍ତ ଶ୍ରେୟ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଯାଉଛି। ଦେଶରେ ଦୀର୍ଘ ଦଶନ୍ଧି ଧରି କେମିତି ସୀମିତ ସ୍ୱାସ୍ଥ୍ୟଭୂମି ଥିବା ସେ ବିଷୟରେ ମଧ୍ୟ ମୋଦି ଏହି ଅବସରେ କହିବାକୁ ପଛାଇ ନାହାନ୍ତି। ପୂର୍ବରୁ ମେଡିକାଲ ଭିତ୍ତିଭୂମିକୁ ଅବହେଳା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ମୋଦି କହିଛନ୍ତି, “ଆମ ଦେଶର ଜନସଂଖ୍ୟା ସୀମିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମସ୍ୟା ପ୍ରତି ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରି ଆସିଛି। କିନ୍ତୁ ବିକିଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ପ୍ରତି ଲକ୍ଷେ ଲୋକରେ ସଂକ୍ରମିତ ଓ ମୃତ୍ୟୁହାର ବେଶ ଭଲ ରହିଛି। ଜଣଙ୍କର ବି ଜୀବନ ଯିବା ବେଶ ଯନ୍ତ୍ରଣାଦାୟକ। ତଥାପି ଭାରତ କରୋନା ଭାଇରସରୁ ଲକ୍ଷାଧିକ ଦେଶବାସୀଙ୍କ ଜୀବନ ରକ୍ଷା କରିବାକୁ ସକ୍ଷମ ହୋଇଛି। ଏହାର ଶ୍ରେୟ କଠିନ ପରିଶ୍ରମ କରିଥିବା ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପାଖକୁ ଯାଉଛି।” ନିଜ ସରକାରଙ୍କ ସମ୍ପର୍କରେ ମୋଦି କହିଛନ୍ତି, “ଆମ ସରକାର ସବୁବେଳେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ଗତବର୍ଷ କରୋନାର ପ୍ରଥମ ୱେଭ ବେଳେ ଆମ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୧୫ ହଜାର କୋଟି ଟଙ୍କା ଦେଇଥିଲେ। ଚଳିତ ବର୍ଷ ଏହା ୨ ଲକ୍ଷ କୋଟି ଟପି ଯାଇଛି। ୨୦୧୪ ସୁଦ୍ଧା ଦେଶରେ କେବଳ ୬ଟି ଏମ୍ସ ଥିଲା। ୭ ବର୍ଷ ମଧ୍ୟରେ ୧୫ଟି ନୂଆ ଏମ୍ସରେ କାମ ଆରମ୍ଭ ହୋଇଯାଇଛି। ମେଡିକାଲ କଲେଜ ସଂଖ୍ୟା ମଧ୍ୟ ଦେଢ଼ଗୁଣା ବୃଦ୍ଧି ପାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ସେବାର ସୁବିଧା ନଥିବା ସ୍ଥାନଗୁଡ଼ିକ ପାଇଁ ସରକାର ୫୦ ହଜାର କୋଟିର କ୍ରେଡିଟ ଗ୍ୟାରେଣ୍ଟି ସ୍କିମ ଆଣିଛନ୍ତି। ଆମ ସରକାର ସବୁବେଳେ ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ। ଗତବର୍ଷ ଡାକ୍ତରଙ୍କ ବିରୋଧରେ ହେଉଥିବା ହିଂସାକାଣ୍ଡକୁ ରୋକିବା ପାଇଁ ଏକାଧିକ ଆଇନ ଅଣାଯାଇଥିଲା। ଆମେ ଆମ କୋଭିଡ ଯୋଦ୍ଧାଙ୍କ ପାଇଁ ମାଗଣା ବୀମା ସୁବିଧା କରିଛୁ। ଡାକ୍ତରମାନେ ଯେଉଁଭଳି କାମ କରି ଚାଲିଛନ୍ତି, ଏହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ୧୩୦ କୋଟି ଲୋକଙ୍କ ପକ୍ଷରୁ ମୁଁ ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି।”

LEAVE A REPLY

Please enter your comment!
Please enter your name here