ମନ୍ତ୍ରିପରିଷଦ ବୈଠକ ପୂର୍ବରୁ ସିନ୍ଧିଆ ଏବଂ ସର୍ବାନନ୍ଦଙ୍କୁ ନେଇ ବଢ଼ିଲା ଚର୍ଚ୍ଚା…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିପରିଷଦ ବୈଠକ ଡାକିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ୟାବିନେଟ, ସ୍ୱତନ୍ତ୍ର ରାଜ୍ୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ବୈଠକ ଯୋଗ ଦେବେ। ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ କିଏ କିଏ ସାମିଲ ହେବେ ସେ ନେଇ ଚର୍ଚ୍ଚା ବଢ଼ିଛି। କାରଣ ଏହି ବୈଠକରେ ମୋଦି ମନ୍ତ୍ରୀ ମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରି ସେମାନଙ୍କ ରିପୋର୍ଟ ଦେବେ ବୋଲି କୁହାଯାଉଛି। ଏଥିସହ ମୋଦି ଏହି ବୈଠକରେ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ବାବଦରେ ଘୋଷଣା କରିପାରନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ବିଭିନ୍ନ ମନ୍ତ୍ରୀଙ୍କ କାମର ସମୀକ୍ଷା କରିଥିଲେ। ଏହି ସମୟରେ କିଛି ମନ୍ତ୍ରୀଙ୍କ ସହ ମୋଦି ଓ୍ୱାନ ଟୁ ଓ୍ୱାନ ଆଲୋଚନା କରିଥିବା ସୂଚନା ରହିଛି। ଏବେ କିଏ ହେବେ ମନ୍ତ୍ରୀ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲା, ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କେନ୍ଦ୍ର କ୍ୟାବିନେଟରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଏଥିସହ ଏନଡିଏରେ ସାମିଲ ଥିବା ଅନ୍ୟାନ୍ୟ ଦଳ ଏଲଜେପି, ଜେଡିୟୁ ଭଳି ଦଳର ଅନେକ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଆସାମରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛି। ତେଣୁ ସର୍ବାନନ୍ଦ ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ତେଣୁ ସର୍ବାନନ୍ଦଙ୍କୁ କେନ୍ଦ୍ରରେ ମନ୍ତ୍ରିପଦ ଦେଇ ରାଜ୍ୟରେ ଦଳ ମଧ୍ୟରେ ସମ୍ଭାବ୍ୟ କନ୍ଦଳରେ ତାଳି ପକାଇବାକୁ କେନ୍ଦ୍ର ଯୋଜନା କରିଛି। ସେହିପରି ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଯଦିଓ ସିନ୍ଧିଆ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ହାରିଥିଲେ। ହେଲେ ଏବେ ବିଜେପି ତାଙ୍କୁ ମନ୍ତ୍ରୀ ପଦ ଦେଇ ମଧ୍ୟପ୍ରଦେଶର ଗ୍ୱାଲିଅର ଭଳି ଅଞ୍ଚଳରେ ବିଜେପି ନିଜର ପ୍ରଭାକୁ ଆହୁରି ମଜବୁତ କରିବାକୁ ଯୋଜନା ରଖିଛି। କାରଣ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ବ୍ୟବଧାନ ସେତେ ବଡ଼ ନାହିଁ। ଅନ୍ୟପଟେ ଆଗକୁ ୟୁପି ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ମୋଦି ସହଯୋଗୀ ଦଳର ନେତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବେ ବୋଲି ଜଣାପଡ଼ିଛି। ପାଖାପାଖି ୨୭ ଜଣ ସମ୍ଭାବିତ ନେତାଙ୍କ ନାମ ପ୍ରସ୍ତୁତ ହୋଇ ସାରିଛି। ଏବେ ମୋଦି ସରକାରରେ ଆରଆଇପି ଦଳର ସାଂସଦ ରାମଦାସ ଅଠାଓ୍ୱାଲାଙ୍କୁ ଛାଡ଼ି ଦେଲେ ଆଉ ସମସ୍ତେ ବିଜେପିର ସାଂସଦ। ତେଣୁ ଜେଡିୟୁ, ଅପନା ଦଳ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳକୁ ନିଜ ଟିମରେ ସାମିଲ୍ କରି ମୋଦି ସରକାର ନୂଆ ଜୋଶରେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଥିବା ସୂଚନା ରହିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୯ ଜଣ ସ୍ୱାଧୀନ ରାଜ୍ୟମନ୍ତ୍ରୀ ଏବଂ ୨୯ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ଅନେକ ମନ୍ତ୍ରୀଙ୍କ ପାଖରେ ଗୋଟିଏରୁ ଅଧିକ ବିଭାଗ ରହିଥିବାରୁ ମୋଟ୍ ଏହି ସଂଖ୍ୟା ୫୪ ରହିଛି। ସମ୍ୱିଧାନର ନିୟମ ଅନୁସାରେ ୭୯ ଜଣ ମନ୍ତ୍ରୀ ରହିପାରିବେ।

Leave a Reply

Your email address will not be published. Required fields are marked *