ଟ୍ୱିଟର ମୁଖ୍ୟଙ୍କୁ ହାଇକୋର୍ଟରୁ ମିଳିଲା ସୁରକ୍ଷା….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଗାଜିଆବାଦର ମାରପିଟ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ କର୍ଣ୍ଣାଟକା ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେଇଛନ୍ତି। ଲୋନି ମାରପିଟ ଘଟଣାରେ ଗାଜିଆବାଦ ପୁଲିସ୍‌ ମନୀଷଙ୍କ ବିରୋଧରେ କୌଣସି ପ୍ରକାରର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବେଙ୍ଗାଲୁରୁରେ ରହୁଥିବା ମନୀଷଙ୍କୁ ଗାଜିଆବାଦ ପୁଲିସ ୪ ଦିନ ମଧ୍ୟରେ ୨ଥର ହାଜର ହେବାକୁ ନୋଟିସ କରିଥିଲା। ଆଜି ଦିନ ୧୧.୩୦ ସୁଦ୍ଧା ତାଙ୍କୁ ଲୋନି ବର୍ଡର ପୁଲିସ୍‌ ଷ୍ଟେସନ ନିକଟରେ ହାଜର ହେବାକୁ ନୋଟିସରେ କୁହାଯାଇଥିଲା। ହେଲେ କାଳେ ପୁଲିସ୍‌ ତାଙ୍କୁ ବୟାନ ରେକର୍ଡ ପାଇଁ ଡାକି ଗିରଫ କରିନେବ, ସେଥିପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି କରି ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ଜଣେ ମୁସିଲିମ ବ୍ୟକ୍ତିଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଥିଲା। ଏହି ଭିଡିଓ ନକଲି ବୋଲି ପୁଲିସ୍‌ କହିବା ସହ ଏହାକୁ ଶେୟାର କରିଥିବା ବିଭିନ୍ନ ବ୍ୟକ୍ତିମାନଙ୍କ ସହ ଟ୍ୱିଟର ବିରୋଧରେ ମାମଲା କରିଛି। ସୋମବାର ଗାଜିଆବାଦ ପୁଲିସ ମନୀଷଙ୍କୁ ପଠାଇଥିବା ନୋଟିସ୍‌ରେ ବ୍ୟକ୍ତିଗତ ଭାବେ ଜୁନ୍‌ ୨୪ରେ ଲୋନି ବର୍ଡର ପୁଲିସ୍‌ ଷ୍ଟେସନରେ ହାଜର ହେବାକୁ କହିଥିଲା। ଗତ ସପ୍ତାହରେ ସିଆରପିସିର ସେକସନ ୧୬୬ ଅନୁଯାୟୀ ଟ୍ୱିଟର ଇଣ୍ଡିଆ ଏମଡିଙ୍କୁ ପୁଲିସ୍‌ ନୋଟିସ ପଠାଇଥିଲା। ମାହେଶ୍ୱରୀ ତାଙ୍କ ଜବାବରେ କହିଥିଲେ ଯେ ସେ ଭିଡିଓ କନଫରେନ୍ସିଂ ଜରିଆରେ ତଦନ୍ତରେ ସାମିଲ ହେବାକୁ ଚାହାନ୍ତି। ତେବେ ଏହାକୁ ପୁଲିସ୍‌ ଅଗ୍ରାହ୍ୟ କରିଥିଲା। ଦ୍ୱିତୀୟ ନୋଟିସରେ ତାଙ୍କୁ ୨୪ ତାରିଖ ଦିନ ୧୧.୩୦ରେ ବ୍ୟକ୍ତିଗତ ଭାବେ ଥାନାରେ ହାଜର ହେବାକୁ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *