କାଷ୍ଟିଂ କାଉଚ୍ର ଯନ୍ତ୍ରଣା ବଖାଣିଲେ ମିନିଷା….!
ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବାହାରକୁ ଚକ୍ମକ୍ କରୁଥିବା ଫିଲ୍ମ ଦୁନିଆରେ କାଷ୍ଟିଂ କାଉଚ୍ ମାମଲା କୌଣସି ନୂଆ ନୁହେଁ। ସର୍ବଦା ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଥାଏ ବି-ଟାଉନ୍। ଅନେକ ବଡ ବଡ ଷ୍ଟାର ଏନେଇ ଖୁଲାସା ମଧ୍ୟ କରିସାରିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣେ ଷ୍ଟାର୍ଙ୍କ ନାଁ ଯୋଡି ହୋଇଛି। ଦୀର୍ଘ ଦିନଧରି ଫିଲ୍ମି ଦୁନିଆରୁ ଦୂରେଇ ରହିଥିବା ମିନିଷା ଲାମ୍ବା ବି-ଟାଉନ୍ରେ କାଷ୍ଟିଂ କାଉଚର ଯନ୍ତ୍ରଣା ବଖାଣିଛନ୍ତି । ନିକଟରେ ଏକ ସାକ୍ଷାତକାର୍ରେ ନିଜ କ୍ୟାରିଅରର ପ୍ରାରମ୍ଭରେ ସେ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଥିବା ନେଇ ଖୁଲାସା କରିଛନ୍ତି। ମିନିଷା କହିଛନ୍ତି, ଅନେକ ଥର କିଛି ଲୋକ କୌଣସି ଫିଲ୍ମ ନେଇ କଥାବାର୍ତ୍ତା କରିବାକୁ ଡିନର୍ କରିବା ବାହାନାରେ ଭେଟିବାକୁ କହୁଥିଲେ। ସେ ତାଙ୍କୁ ଡିନର୍ରେ କାହିଁକି ଭେଟୁନାହାନ୍ତି ବୋଲି ପ୍ରଶ୍ନ ମଧ୍ୟ କରୁଥିଲେ। ଚତୁରତା ଭାବେ ମିନିଷା ଫିଲ୍ମ ନିର୍ମାତାମାନଙ୍କୁ ଅଫିସରେ ଭେଟିବା ପାଇଁ ହିଁ ଜୋର ଦେଉଥିଲେ। କେବଳ ଅଫିସରେ ଲୋକଙ୍କୁ ଭେଟିବା ଏବଂ କଥାକୁ ବୁଝି ନପାରିବାର ଅଭିନୟ କରି ଏହାକୁ ସମ୍ଭାଳିଥିଲେ। ମିନିଷା ଆହୁରି କହିଛନ୍ତି, ଯେକୌଣସି ଇଣ୍ଡଷ୍ଟ୍ରିରେ ଯେଉଁଠାରେ ପୁରୁଷ ଅଛନ୍ତି, ଅଧିକାଂଶ ପୁରୁଷ ଏହିପରି ଚେଷ୍ଟା କରିଥାନ୍ତି। ଏହି ଇଣ୍ଡଷ୍ଟ୍ରି ମଧ୍ୟ ଏହାଠାରୁ ଭିନ୍ନ ନୁହେଁ। ମୁଁ ନିଶ୍ଚିତ ଭାବରେ ଏଭଳି ପରିସ୍ଥିତିର ସାମ୍ନା କରିଛି। ମିନିଷାଙ୍କ ଅନୁଯାୟୀ, ସେ ଅନେକ ସମୟରେ ଜିନିଷକୁ ଅଣଦେଖା କରି ଏପରି ଆଚରଣରୁ ଦୂରେଇ ରହିଥିଲେ। ବୃତ୍ତିଗତ ଆଚରଣ ହେତୁ ତାଙ୍କୁ ଅନେକ ପ୍ରୋଜେକ୍ଟ ହରାଇବାକୁ ପଡିଥିଲା। ମିନିଷା କହିଛନ୍ତି ଯେ ଦୁଇଥର ଏପରି ହୋଇଛି ଯେତେବେଳେ ତାଙ୍କୁ ତାଙ୍କ ପ୍ରୋଜେକ୍ଟ ହରାଇବାକୁ ପଡିଥିଲା। ମିନିଷା ନିର୍ଦ୍ଦିଷ୍ଟ ଭାବରେ କହିଥିଲେ ଯେ ଫିଲ୍ମ ନିର୍ମାତାମାନେ ଅଫିସ୍ ବଦଳରେ ବାହାରେ ଭେଟିବାକୁ କହୁଥିଲେ। ୨୦୦୫ରେ ସୁଜିତ ସରକାରଙ୍କ ଫିଲ୍ମ ‘ୟାହାଁ’ରୁ ମିନିଷା ବଲିଉଡରେ ଡେବ୍ୟୁ କରିଥିଲେ। ଏହାବ୍ୟତୀତ ମିନିଷାଙ୍କୁ ରଣବୀର କପୁରଙ୍କ ସହ ଫିଲ୍ମ ‘ବଚନା ଏ ହସିନୋ’ରେ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ‘କର୍ପୋରେଟର’, ‘ରକି’, ‘ଆନ୍ଥୋନୀ କୌନ ହୈ’, ‘ଅନାମିକା’, ଓ ‘କାହାନିଆଁ’ ଭଳି ଫିଲ୍ମରେ ମଧ୍ୟ ମିନିଷା ନଜର ଆସିଛନ୍ତି।

