ଟେଣ୍ଡରଧାରିଙ୍କ ପେପର ଚିରି ଯୁବ ବିଜେଡି ନେତା ଗିରଫ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/କେନ୍ଦୁଝର)- ମହଙ୍ଗା ପଡ଼ିଲା ବିଜେଡି ନେତାଙ୍କ ଦାଦାଗିରି। ଟେଣ୍ଡରଧାରୀଙ୍କ ପେପର ଓ ଡିଡି ଚିରିବା ଅଭିଯୋଗରେ କେନ୍ଦୁଝର ପୁଲିସ ତାଙ୍କୁ ଗିରଫ କରିଛି। ସାହାରପଡା ବ୍ଲକ ମୁଖ୍ୟ କିରାଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ଗିରଫ କରିଛି।ସାହାରପଡା ବ୍ଲକର ୪୭ଟି ସ୍କୁଲ୍‌ ଘର ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା। ଏଥିପାଇଁ ୧୧ ଜଣ ଟେଣ୍ଡର ପକାଇଥିଲେ। ସୋମବାର ଟେଣ୍ଡର ବାକ୍ସ ଖୋଲିଥିଲା। ବ୍ଲକ ଅଫିସ୍‌ର ମୁଖ୍ୟ କିରାଣୀ ଟେଣ୍ଡର ଆବେଦନ ପେପର ଗୋଡ଼ିକୁ ବାକ୍ସରୁ କାଢ଼ି ନିଜ ଟେବୁଲ୍‌ ଉପରେ ରଖିଥିଲେ। ଏହି ସମୟରେ ଜିଲ୍ଲା ଯୁବ ବିଜେଡି ଉପ-ସଭାପତି କରୁଣା ସାଗର ଖଟୁଆ ବ୍ଲକ ଅଫିସ୍‌ରେ ପଶି ମୁଖ୍ୟ କିରାଣୀଙ୍କ ଟେବୁଲ୍‌ ଉପରେ ଥିବା ଟେଣ୍ଡର ଆବେଦନ ପେପର ଗୋଡ଼ିକୁ ଚିରି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଟେଣ୍ଡର ପେପରରେ ଥିବା ୧୧ଟି ଡିଡିକୁ ମଧ୍ୟ ସେ ଚିରି ହୋ-ହଲ୍ଲା କରିଥିଲେ।ବିଜେଡି ନେତାଙ୍କୁ ଏପରି କାର୍ଯ୍ୟକୁ ବିରୋଧ କରି ସାହାରପଡା ବ୍ଲକର ମୁଖ୍ୟ କିରାଣୀ ହାଡିବନ୍ଧୁ ପାତ୍ର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ କରୁଣା ସାଗର ଖଟୁଆଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିଲେ। ପରେ ଅର୍ଥାତ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *