ବୃଦ୍ଧଙ୍କୁ ମାଡ଼ ଘଟଣା: ଯୋଗୀଙ୍କ କାଉଣ୍ଟର ଆଟାକ ପରେ ରାହୁଲ ନିରବ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆସନ୍ତାବର୍ଷ ୟୁପିରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଯୋଗୀ ସରକାରକୁ ଚେକ୍ ଦେବା ପାଇଁ ବିରୋଧୀ ଏବେ ରାମ ମନ୍ଦିରରେ ଜମି ଦୂର୍ନୀତି ପରେ ପରେ ବୃଦ୍ଧଙ୍କୁ ମାଡ଼ ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରି ଅପଦସ୍ତ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ବୃଦ୍ଧଙ୍କୁ ମାଡ଼ ଘଟଣାରେ କହିଛନ୍ତି ଶ୍ରୀରାମ ଚନ୍ଦ୍ରଙ୍କ ଭକ୍ତ କେବେ ଏପରି କାମ କରିପାରିବେ ନାହିଁ। ସୋଶାଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମୁସଲମାନ ବୃଦ୍ଧଙ୍କ ଦାଢ଼ି ବଳପୂର୍ବକ ଭାବରେ କଟାଯାଉଥିବାର ଭିଡିଓ ଘୁରି ବୁଲୁଛି। ଆଉ ସେହି ବୃଦ୍ଧଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ କରି ଘଟଣାର ସତ୍ୟତା କହିଛି। ଗାଜିଆବାଦ ଜିଲ୍ଲାର ବାସିନ୍ଦା ସୁଫି ଅବଦୁଲ ସମଦଙ୍କୁ ମାଡ ମାରିବା ସହ ଦାଢ଼ି କାଟିବା ଅଭିଯୋଗରେ ପୁଲିସ ଚାରି ଜଣଙ୍କୁ ଗିରଫ କରି ସାରିଛି। ପୀଡିତ ଦାବି କରିଥିଲେ ଯେ ଯେଉଁମାନେ ତାଙ୍କୁ ମାଡ଼ ମାରିଥିଲେ ସେମାନେ ତାଙ୍କୁ  ‘ଜୟ ଶ୍ରୀ ରାମ’ ଜପିବାକୁ ବାଧ୍ୟ କରିଥିଲେ। ତେବେ ଏହି ମାମଲାରେ କୌଣସି ସାମ୍ପ୍ରଦାୟିକ ନାହିଁ ବୋଲି ପୁଲିସ କହିଛି। ପୁଲିସ କହିଛି ଯେ ଯେଉଁମାନେ ସୁଫି ଅବଦୁଲ ସମଦଙ୍କୁ ମାଡ ମାରିଥିଲେ ସେମାନଙ୍କ ମଧ୍ୟରେ ହିନ୍ଦୁ ଏବଂ ମୁସଲମାନଙ୍କ ସମେତ ପ୍ରାୟ ୬ ଜଣ ଥିଲେ। ମାଡ଼ ମାରିଥିବା ବ୍ୟକ୍ତି ସମଦଙ୍କ ପାଖରୁ ତାବଜି ନେଇଥିଲେ। ତାବଜି ପିନ୍ଧିବା ପରେ ଏହାର ପ୍ରଭାବ ଓଲଟା ପଡ଼ିଥିଲା। ଆଉ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ସମଦଙ୍କୁ ସେମାନେ ମାଡ଼ ମାରିଥିବା ପୁଲିସ କହିଛି। ଭିଡିଓରେ ବୃଦ୍ଧଙ୍କୁ ଠେଲି ଦିଆଯାଉଥିବା ବେଳେ ତାଙ୍କ ଦାଢି କାଟି ଦିଆଯାଉଥିବା ଦେଖିବାକୁ ମିଳିଛି। ଏଥିସହ ତାଙ୍କୁ ଗୋଇଠା ଏବଂ ମାଡ଼ ମରାଯାଉଥିବା ଜଣାପଡ଼ିଛି। ଏହି ଭିଡିଓ ଯିଏ ବି ଦେଖିବ ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ। ଯେଉଁମାନେ ଏପରି ନିଷ୍ଠୁର କାମ କରନ୍ତି ସେମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦିଆଯାଉ ବୋଲି ଦାବି ହେବା ବି ସ୍ୱାଭାବିକ। ହେଲେ ଭାଇରାଲ ହୋଇଥିବା ଏହି ଭିଡିଓ ସହିତ ପ୍ରକୃତ ତଥ୍ୟ ନଜାଣି ବଡ଼ ବଡ଼ ନେତା ଘୃଣାକୁ ଉସକେଇବା କେତେ ଯୁକ୍ତିଯୁକ୍ତ? ରାହୁଲ ଗାନ୍ଧୀ ଏହି ଘଟଣାକୁ ଟ୍ୱିଟ୍ କରି କହିଥିଲେ ଶ୍ରୀରାମଙ୍କ ଭକ୍ତ କେବେ ଏଭଳି ନିଷ୍ଠୁର କାମ କରିବେ ନାହିଁ। ଏହାର ଜବାବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କଡ଼ା ଜବାବ ସହ ରାହୁଲଙ୍କୁ ମାନବିକତାର ପାଠ ପଢ଼ାଇଛନ୍ତି। ଭଗବାନ ଶ୍ରୀ ରାମଙ୍କର ପ୍ରଥମ ଶିକ୍ଷା ହେଉଛି “ସତ କୁହ” ଯାହା ତୁମେ (ରାହୁଲ) ଜୀବନରେ କେବେ କରି ନାହଁ ବୋଲି ଯୋଗୀ ଟ୍ୱିଟ୍ କରି କହିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରିବା ପରେ ବି ମିଛ ଖବର ପ୍ରଚାର କରିବା ପଛର ଉଦ୍ଦେଶ୍ୟ କାହାକୁ ଅଛପା ନୁହେଁ। ଏଭଳି ମନ୍ତବ୍ୟ ଉତ୍ତରପ୍ରଦେଶର ଲୋକଙ୍କୁ ଅପମାନିତ କରିଛି। ଶ୍ରୀ ରାମଙ୍କର ପ୍ରକୃତ ଭକ୍ତ ଏପରି କରିପାରିବେ ନାହିଁ। ଏପରି ନିଷ୍ଠୁରତା ମାନବିକତାଠାରୁ ବହୁ ଦୂରରେ। ଉଭୟ ସମାଜ ତଥା ଧର୍ମ ପାଇଁ ଲଜ୍ଜାଜନକ ବୋଲି ଯୋଗୀ କହିଛନ୍ତି। ଏହାପରେ କିନ୍ତୁ ରାହୁଲ୍ ଗାନ୍ଧୀ କିଛି କହି ନାହାନ୍ତି। ସେହିପରି ଏଆଇଏମ୍ଆଇଏମ୍ ସଭାପତି ଅସଦୁଦ୍ଦିନ ଓବେସୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ମୁସଲମାନମାନଙ୍କଠାରୁ ସମ୍ମାନର ସହ ଜୀବନଯାପନ କରିବାର ଅଧିକାର ଛଡ଼ାଇ ନିଆଯାଉଛି। ସବୁଠୁ ବଡ଼ କଥା ହେଲା ଭାଇରାଲ ଭିଡିଓରେ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରାଯାଉଛି ବୋଲି ଦେଖିବାକୁ ମିଳିଛି। କିନ୍ତୁ ପୁଲିସ ନିକଟରେ ଦାୟର ହୋଇଥିବା ଏଫଆଇଆରରେ ଏ ବାବଦରେ ଉଲ୍ଲେଖ କରାଯାଇ ନାହିଁ। କେବଳ ବୃଦ୍ଧ ଜଣଙ୍କ ୟୁପି ସୀମାକୁ ଆସିବା ପରର ଘଟଣା ବର୍ଣ୍ଣନା କରାଯାଇଛି।

Leave a Reply

Your email address will not be published. Required fields are marked *