ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ: ନବ ଦାସ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏପରି ଢ଼ଙ୍ଗରେ ନକଲି ଔଷଧ ବେପାରୀଙ୍କୁ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ସେ କହିଛନ୍ତ, ଅଭିଯୋଗ ପାଇଲା ପରେ ନିର୍ଦ୍ଦିଷ୍ଟ ଦୋକାନ ଉପରେ ଚଢ଼ଉ କରାଯାଇ ୧୭୦ଟି ପେଟି ଫାବିପିରାଭିର୍‌ ଜବତ କରାଯାଇଥିଲା। ସେଥିରେ ୨୭ ପେଟି ଅନ୍ୟ ଔଷଧ ରହିଛି। ଏଗୁଡିକ ଭୁବନେଶ୍ୱର ସମେତ କଲିକତା ସେଣ୍ଟ୍ରାଲ ଲାବ୍ରୋଟାରୀକୁ ପରୀକ୍ଷା ପାଇଁ ପଠା ଯାଇଛି। ବିଭିନ୍ନ ଜିଲ୍ଲାରେ ଔଷଧ ଦୋକାନ ଉପରେ ନଜର ରଖିବାକୁ କୁହାଯାଇଛି।  ଯାଞ୍ଚ ପରେ ରିପୋର୍ଟ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବ କହିଛନ୍ତି। ଶ୍ରୀ ଦାସ ଆହୁରି କହିଛନ୍ତି, “ରାଜ୍ୟ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତ କରୁଛନ୍ତି। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ଆକଳନ କରିଥିବାରୁ ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତ କରାଯାଇଛି। ଶିଶୁଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ଭାବେ ୧୬୧୦ ସାଧାରଣ ବେଡ଼ ଓ ୬୧୦ ଆଇସିୟୁ ବେଡ୍‌ ବ୍ୟବସ୍ଥା କରାଯାଇଛି। ଶିଶୁ ଭବନରେ କୋଭିଡ୍‌ ଓ୍ୱାର୍ଡ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ସେହିପରି ନବଜାତ କୋଭିଡ୍‌ ସଂକ୍ରମିତ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କର୍ଣ୍ଣର୍‌ ସହ ଅଧିକ ସଂକ୍ରମିତଙ୍କ ପାଇଁ କୋଭିଡ୍‌ କେୟାର ସେଣ୍ଟର କରାଯିବ।” ଦୁଇଦିନ ତଳେ କଟକର କନିକା ଛକରେ ଏକ ଦୋକାନରୁ ନକଲି କରୋନା ମେଡିସିନ୍‌ ଜବତ ହୋଇଥିଲା। ଏହି ଲିଙ୍କରେ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ରାଉରକେଲାରେ ୩ଟି ମେଡିସିନ୍‌ ଷ୍ଟୋରରେ ହେଡ୍‌ କରିଥିଲା। ସେଠାରୁ ବିପୁଳ ପରିମାଣରେ ନକଲି ଔଷଧ ଜବତ କରିଥିଲା। ସେପଟେ କଟକରୁ ନକଲି ମେଡିସିନ ଜବତ ପରେ ଏହାର ଲିଙ୍କରେ ବଲାଙ୍ଗିରରେ ଚଢଉ ହୋଇଛି। ବଲାଙ୍ଗିର ସହର ସୁଦପଡ଼ା ସ୍ଥିତ ମୋଦୀ ଫାର୍ମାସ୍ୟୁଟିକାଲ୍‌ରେ ଚଢଉ କରିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର। ଚଢଉ ବେଳେ ଥଣ୍ଡା କାଶ ପାଇଁ ବ୍ୟବହୃତ ମେଡିସିନ ମିଳିଥିଲା। ଏହାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେର କହିଛନ୍ତି। ତେବେ ପରୀକ୍ଷା ପରେ ଏହି ଔଷଧ ବାବଦରେ ତଥ୍ୟ ମିଳିବ। ଜବତ ହୋଇଥିବା ମେଡିସିନ୍ ବାବଦରେ ସଂପୃକ୍ତ ଫାର୍ମାସ୍ୟୁଟିକାଲ କୌଣସି କାଗଜପତ୍ର ଦେଖାଇପାରିନଥିଲେ।

Leave a Reply

Your email address will not be published. Required fields are marked *