ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନା ଯୋଗୁ ମଳିନ ପଡ଼ିଥିବା ନିଜର ଛବିକୁ ସୁଧାରିବାକୁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି। କିଛି ଦିନ ତଳେ ଦଳ ପକ୍ଷରୁ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏବେ ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅଭିଯାନ ସାରା ଦେଶରେ ଆରମ୍ଭ ହେବ। ଏହାକୁ କାର୍ଯ୍ୟକାରୀ କରିବାକୁ ବିଜେପି ସଭାପତି ଜେପି ନଡ୍ଡା ଦଳର କାର୍ଯ୍ୟକର୍ତ୍ତାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଟିକାକରଣ ଅଭିଯାନ, ରିଲିଫ୍ କାର୍ଯ୍ୟକ୍ରମ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀଙ୍କର ତାଲିମକୁ ଅନ୍ତର୍ଭୁକ୍ତ କରାଯାଇଛି। ଟିକାକରଣ ଅଭିଯାନରେ ‘ମୋ ବୁଥ ଟିକାକରଣ ଯୁକ୍ତ’ କରିବାକୁ କୁହାଯାଇଛି। ଏହା ଅଧୀନରେ ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କୁ ଟିକାର ଉଭୟ ଡୋଜ୍‌ ନେବାକୁ ପରାମର୍ଶ ଦିଆଯିବ। ଏଥିସହ ଅଧିକ ସଂକ୍ରମଣ ଆଶଙ୍କା ଥିବା ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ନେବାକୁ ଉତ୍ସାହିତ କରାଯିବ। ଏହି ବର୍ଗରେ ଡେଲିଭରି ବୟ, ଅଟୋ, ରିକ୍ସା ଚାଳକ, ଘରୋଇ ସହାୟକ, ଖବରକାଗଜ ବିତରକ, ଗ୍ୟାସ ସିଲିଣ୍ଡର ବିତରକ, ୧୨ ବର୍ଷରୁ କମ୍ ବୟସ୍କ ପିଲାଙ୍କ ମାତାପିତାଙ୍କୁ ରଖାଯାଇଛି। ଏମାନଙ୍କୁ ଟିକାକରଣ କେନ୍ଦ୍ରକୁ ଯିବା ପାଇଁ ପ୍ରୋତ୍ସାହିତ କରାଯିବ। ବିଜେପି କାର୍ଯ୍ୟକର୍ତ୍ତାମାନେ ଲୋକଙ୍କୁ କରୋନା କଟକଣା ମାନିବାକୁ ବୁଝାଇବେ। ଲୋକମାନଙ୍କୁ ବିଜେପି ପକ୍ଷରୁ ସାନିଟାଇଜର ଓ ମାସ୍କ ଇତ୍ୟାଦି ବଣ୍ଟନ କରାଯିବ। ବିଜେପି ଅଧ୍ୟକ୍ଷ ଶ୍ରୀ ନଡ୍ଡା କାର୍ଯ୍ୟକର୍ତ୍ତାଙ୍କୁ ରକ୍ତଦାନ ଶିବିର ଆୟୋଜନ କରିବାକୁ କହିଛନ୍ତି। ହସ୍ପିଟାଲ ଏବଂ ଅନ୍ୟାନ୍ୟ ସ୍ଥାନରେ ଜରୁରୀ କାଳୀନ ସ୍ଥରରେ ରାସନ କିଟ୍ ଓ ଖାଦ୍ୟ ବଣ୍ଟନ ପାଇଁ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟେଲି-ମେଡିସିନ୍ ସେଣ୍ଟର ଓ ମେଡିକାଲ୍ ହେଲ୍ପ ସେଣ୍ଟର ପ୍ରତିଷ୍ଠା ପାଇଁ ମଧ୍ୟ କୁହାଯାଇଛି। ପ୍ରଭାବିତ ଲୋକଙ୍କୁ ଶୀଘ୍ର ବୀମା ସୁବିଧା ଯୋଗାଇବା କ୍ଷେତ୍ରରେ ସହାୟତା କରାଯିବ। ସ୍ୱାସ୍ଥ୍ୟ ଯୋଦ୍ଧାମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବାର ବ୍ୟବସ୍ଥା ହେବ। ରାଜ୍ୟସ୍ତରରେ ଟିମ ପ୍ରସ୍ତୁତ କରାଯାଇ ଗ୍ରାମାଞ୍ଚଳରେ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ ଦିଆଯିବ। ସ୍ଥାନୀୟ ପାର୍ଟି ଅଫିସରେ ଥର୍ମାଲ୍ ସ୍କାନର୍, ଅକ୍ସିମିଟର, ଟେଷ୍ଟ କିଟ୍, ଅମ୍ଳଜାନ କନସେନଟ୍ରେଟର ଇତ୍ୟାଦି ସାମଗ୍ରୀ ଗଚ୍ଛିତ କରିବାକୁ ବ୍ୟବସ୍ଥା କରାଯିବ।  ଏହି ସ୍ୱେଚ୍ଛାସେବୀମାନେ ଅଙ୍ଗନୱାଡି, ଆଶା, ଏଏନଏମ ଓ ପିଏଚ୍‌ସି ସହ ସମନ୍ୱୟ ରକ୍ଷା କରି କାମ କରିବେ। ଏହା ସହିତ ଲୋକଙ୍କ ମଧ୍ୟରେ ସଚେତନତା ଅଭିଯାନ ମଧ୍ୟ ଆଗକୁ ବଢ଼ାଇବେ ବୋଲି ଦଳର ଅଧ୍ୟକ୍ଷ କହିଛନ୍ତି।

LEAVE A REPLY

Please enter your comment!
Please enter your name here