ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ନିର୍ବାଚନୀ ଟ୍ରଷ୍ଟରୁ ବିଜେପି ଦାନ ଆକାରରେ ଅନ୍ୟାନ୍ୟ ସମସ୍ତ ରାଜନୀତିକ ଦଳଠାରୁ ସର୍ବାଧିକ ଆୟ କରିଛି। ଭାରତୀ ଏୟାରଟେଲ ଗ୍ରୁପ ଓ ଡିଏଲଏଫ ଲିଃର ପ୍ର୍ୟୁଡେଣ୍ଟ ନିର୍ବାଚନୀ ଟ୍ରଷ୍ଟ ୨୦୧୯-୨୦ରେ ବିଭିନ୍ନ ରାଜନୀତିକ ଦଳକୁ ମୋଟ ୨୭୧.୫ କୋଟି ଟଙ୍କା ଦେଇଛି। ଏହା ମଧ୍ୟରୁ କେବଳ ବିଜେପି ୮୦% ଅର୍ଥ ପାଇଛି। ଆର୍ଥିକ ବର୍ଷ ୨୦୧୯-୨୦୨୦ରେ ବିଭିନ୍ନ ରାଜନୀତି ଦଳ ସେମାନଙ୍କର ନିର୍ବାଚନ ଟ୍ରଷ୍ଟରୁ କେତେ ଟଙ୍କା ଆୟ କରିଛନ୍ତି, ତା’ର ତର୍ଜମା କରାଯାଇଥିଲା। ଏହାପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ବିଜେପି ୨୭୬.୪୫ କୋଟି ଟଙ୍କା ଆୟ କରିଛି। ଏହି ଅର୍ଥରୁ କେବଳ ପ୍ର୍ୟୁଡେଣ୍ଟ ନିର୍ବାଚନୀ ଟ୍ରଷ୍ଟ ବିଜେପିକୁ ୨୧୭.୭୫ କୋଟି ଟଙ୍କା ଦେଇଥିବା ବେଳେ ଜନ କଲ୍ୟାଣ ଟ୍ରଷ୍ଟ ୪୫.୯୫ କୋଟି, ଏବି ଜେନେରାଲ ନିର୍ବାଚନୀ ଟ୍ରଷ୍ଟ ୯ କୋଟି ଓ ୩.୭୫ କୋଟି ଟଙ୍କା ସମାଜ ନିର୍ବାଚନୀ ଟ୍ରଷ୍ଟ ଦେଇଛି। ଏହା ବିଜେପିର କେବଳ ନିର୍ବାଚନୀ ଟ୍ରଷ୍ଟରୁ ହୋଇଥିବା ଆୟ। ଏହା ବାଦ ବିଭିନ୍ନ ସୂତ୍ରରୁ ମଧ୍ୟ ଦଳ ଆୟ କରିଛି। ହେଲେ ଏହାର ତଥ୍ୟ ମିଳିନାହିଁ। କଂଗ୍ରେସ ତା’ର ନିର୍ବାଚନୀ ଟ୍ରଷ୍ଟରୁ ମାତ୍ର ୫୮ କୋଟି ଟଙ୍କା ପାଇଛି। ଏହା ମଧ୍ୟରୁ ପ୍ର୍ୟୁଡେଣ୍ଟ ଟ୍ରଷ୍ଟ ୩୧ କୋଟି ଟଙ୍କା ଦେଇଥିବା ବେଳେ ଜନକଲ୍ୟାଣ ୨୫ କୋଟି ଓ ସମାନ ନିର୍ବାଚନୀ ଟ୍ରଷ୍ଟ ୨ କୋଟି ଟଙ୍କା ଦାନ ଆକାରରେ ଦେଇଛି। ୨୦୧୯-୨୦ରେ ରାଜ୍ୟ ସ୍ତରରେ ସକ୍ରିୟ ଥିବା ୩୫ଟି ଅନୁମୋଦନ ପ୍ରାପ୍ତ ରାଜନୀତିକ ଦଳ ସେମାନଙ୍କ ବାର୍ଷିକ ଅଡିଟ ରିପୋର୍ଟ ନିର୍ବାଚନ କମିଶନଙ୍କ ପାଖରେ ଏବେ ସୁଦ୍ଧା ଦାଖଲ କରିଛନ୍ତି। ଏଥିରେ ସେମାନଙ୍କ ମୋଟ ଆୟ ସମ୍ପର୍କରେ ତଥ୍ୟ ରହିଛି। ଟିଆରଏସ୍ ସର୍ବାଧିକ ୧୩୦.୪୫ କୋଟି ଆୟ କରିଥିବା ବେଳେ ଏହା ପଛକୁ ଶିବସେନା ୧୧୧.୪ କୋଟି, ୱାଇଏସ୍ଆରସିପି ୯୨.୭ କୋଟି, ଓଡ଼ିଶାରେ କ୍ଷମତାସୀନ ବିଜେଡି ୯୦.୩୫ କୋଟି, ଏଆଇଏଡିଏମକେ ୮୯.୬ କୋଟି, ଡିଏମକେ ୬୪.୯୦ କୋଟି ଓ ଆପ ୪୯.୬୫ କୋଟି ଆୟ କରିଛି। ଏହି ଦଳଗୁଡ଼ିକ ୨୦୧୯-୨୦ରେ ନିର୍ବାଚନୀ ବଣ୍ଡରୁ ମଧ୍ୟ ଆୟ କରିଛନ୍ତି। ଟିଆରଏସ୍ ନିର୍ବାଚନୀ ବଣ୍ଡରୁ ୮୯ କୋଟି, ୱାଇଏସ୍ଆରସିପି ୭୪ କୋଟି, ବିଜେଡି ୫୦.୫ କୋଟି, ଡିଏମକେ ୪୫.୫ କୋଟି, ଶିବସେନା ୪୧ କୋଟି, ଆପ ୧୮ କୋଟି ଓ ସମାଜବାଦୀ ପାର୍ଟି ୧୧ କୋଟି ଟଙ୍କା ପାଇଛି। ଅନ୍ୟପକ୍ଷରେ ପ୍ରୋଗ୍ରେସିଭ ନିର୍ବାଚନୀ ଟ୍ରଷ୍ଟ କେଉଁ ଦଳକୁ କେତେ ଟଙ୍କା ଦେଇଛି ଜଣାପଡ଼ିଛି। ୨୦୧୮-୧୯ରେ ଏହି ଟ୍ରଷ୍ଟ ସର୍ବାଧିକ ଅର୍ଥ ଦାନ କରିଥିଲା।