ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି।  ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବାତ୍ୟା ପୂର୍ବରୁ ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ। ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଏଥିଲାଗି ପ୍ରାକ୍ ପ୍ରସ୍ତୁତି କରି ନ ଥିଲା । ମନମୋହନ ଆହୁରି କହିଛନ୍ତି, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଏବେ ମଧ୍ୟ ବହୁ ଲୋକ ପାଣିଘେରରେ ଅଛନ୍ତି । ଏବେ ବି ଅନେକ ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ଏ ପର୍ଯ୍ୟନ୍ତ ଘର ଭଙ୍ଗା ତଦନ୍ତ ଆରମ୍ଭ ହୋଇପାରିନାହିଁ  । ଆରଆଇ ପହଞ୍ଚି ନାହାନ୍ତି । ରାସ୍ତା ପୁନରୁଦ୍ଧାର ହୋଇପାରିନାହିଁ।  ଏଥିଲାଗି ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ଦାବି କରିଛି । ପ୍ରଧାନମନ୍ତ୍ରୀ ୮ ଲକ୍ଷରୁ ଅଧିକ ପକ୍କାଘର ଘୋଷଣା କରିଛନ୍ତି । ରାଜ୍ୟ ସରକାର ବାତ୍ୟାଞ୍ଚଳ ଗୁଡ଼ିକରେ ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରାନ୍ତୁ ବୋଲି ଦାବି କରିଛି ଦଳ । ସେହିପରି ଫସଲ ନଷ୍ଟ ବାବଦକୁ ତୁରନ୍ତ କ୍ଷତିପୂରଣ ଦିଆଯାଉ । ଘରଭଙ୍ଗା ଟଙ୍କା ୧୪ ଦିନ ଭିତରେ ପ୍ରଦାନ କରିବା ସହ ବାତ୍ୟା ଅଞ୍ଚଳରେ କୃଷକଙ୍କ ପାଇଁ ଋଣ ଛାଡ ଏବଂ ଅଗ୍ରୀମ ଋଣ ପ୍ରଦାନ ତଥା ଚିଙ୍ଗୁଡି ଚାଷୀଙ୍କୁ କ୍ଷତିପୂରଣ ପାଇଁ ବିଜେପି ଦାବି କରିଛି । ତେବେ ବିଜେପି ଅଭିଯୋଗକୁ ନେଇ ରାଜ୍ୟ ସରକାର କିମ୍ବା ବିଜ଼େଡିର ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *