ଏକାମ୍ର କାନନ ଜମିକୁ ଜିଏକୁ ଫେରାଇବା ପ୍ରସଙ୍ଗ, ଷ୍ଟାଟସ୍ କୋ ଜାରି ରଖିବାକୁ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜଧାନୀରେ ଏକାମ୍ର କାନନରୁ ୨୦ ଏକର ଜମିକୁ ଜିଏକୁ ଫେରାଇବା ପ୍ରସଙ୍ଗରେ ଷ୍ଟାଟସ କୋ ଜାରି ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଏନଜିଟି। ଏଥିସହ ୪ ଜଣିଆ କମିଟି ଗଠନ ସହ ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। ଜିଲ୍ଲାପାଳ, ଉଦ୍ୟାନକୃଷି ନିର୍ଦ୍ଦେଶକ, ଚନ୍ଦକା ଡିଏଫଓ ଓ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ନେଇ କମିଟି ଗଠନ ହୋଇଛି। ପିଟିସନରେ ଥିବା ସମସ୍ତ ଅଭିଯୋଗ ଉପରେ ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଜୁନ ୩୦ରେ ପରବର୍ତ୍ତୀ ଶୁଣାଣି ହେବ। ଗତ ବର୍ଷ ଏକାମ୍ର କାନନ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଯାହା ପରେ ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। ଉଦ୍ୟାନରେ କଙ୍କ୍ରିଟ୍ ଜଙ୍ଗଲ ନିର୍ମାଣ ପ୍ରସ୍ତାବକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବା ପରେ ଏପରି ନିଷ୍ପତ୍ତିରୁ ଓହରିଛି ଉଦ୍ୟାନ କୃଷି ବିଭାଗ। ଏକାମ୍ର କାନନରେ ପୂର୍ବ ଭଳି ସ୍ଥିତି ବଜାୟ ରଖିବାକୁ ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ । ୨୦ ଏକର ୧୯୨ ଡିସିମିଲ୍ ଜମିକୁ ଜିଏ ଡିପାର୍ଟମେଣ୍ଟକୁ ହସ୍ତାନ୍ତର କରିବାକୁ ଚିଠି ହେବା ଖବର ପ୍ରଚାରିତ ହେବା ପରେ ବିଜେପି, କଂଗ୍ରେସ, ସ୍ଥାନୀୟ ବାସିନ୍ଦା ଏବଂ ପରିବେଶବିତ୍ ଏହାକୁ ପ୍ରବଳ ବିରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *