ନାକା ଗେଟରେ ଯାଞ୍ଚ ପ୍ରକ୍ରିୟା ଢିଲା; କାର୍ଯ୍ୟରେ ଯୋଗ ଦେଉ ନାହାଁନ୍ତି ନିଯୁକ୍ତି ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – କରୋନା ସଂକ୍ରମଣ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ମଧ୍ୟରୁ ନାକା ଗେଟ ସ୍ଥାପନ ଅନ୍ୟତମ । ବାହାର ରାଜ୍ୟରୁ ସଂକ୍ରମିତଙ୍କ ପ୍ରବେଶ କୁ ରୋକିବା ନିମନ୍ତେ ସୀମାନ୍ତ ଅଞ୍ଚଳ ରେ ନାକା ଗେଟ ମାନ ଖୋଲି ଏଠାରେ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇ ଯାଞ୍ଚ କରିବା ଦାୟୀତ୍ୱ ଦିଆଯାଇଛି । ଏହି କ୍ରମରେ ଗୁଣପୁର ବ୍ଲକ ଅଧୀନସ୍ଥ ସିଙ୍ଗୁବାଇ ଏବଂ ଗୋଠଲ ପଦର ଠାରେ ସ୍ଥାପନ କରାଯାଇ ଥିବା ଦୁଇଟି ଗେଟ ରେ ପୋଲିସ ବିଭାଗ ଏବଂ ଶିକ୍ଷା ବିଭାଗ ପକ୍ଷରୁ ଦୁଇଜଣ ଲେଖାଏଁ କର୍ମଚାରୀ ନିଯୁକ୍ତ ଦିଆଯାଇ ଯାଞ୍ଚ କଡାକଡି କରିବା ନିର୍ଦ୍ଦେଶ ଦିଆଯାଇଛି ।

ପରନ୍ତୁ ଏହା କିଭଳି କାର୍ଯ୍ୟକ୍ଷମ ହେଉଛି ଗତକାଲି ର ଘଟଣାରୁ ତାହା ସ୍ପଷ୍ଟ ହୋଇ ପଡିଛି । ଗେଟରେ କାର୍ଯ୍ୟରତ କର୍ମଚାରୀ ଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ ବୋଲି ଉଠିଥିବା ଅଭିଯୋଗ ପରେ ଏନେଇ ଖବର ସଂଗ୍ରହ କରିବା ନିମନ୍ତେ ଆମ୍ଭ ପ୍ରତିନିଧି ଗୋଠଲ ପଦର ଗେଟ ଠାରେ ପହଞ୍ଚିବା ପରେ ସେଠାରେ ମାତ୍ର ଦୁଇଜଣ କର୍ମଚାରୀ କାର୍ଯ୍ୟ ରତ ଥିବା ଦେଖିବାକୁ ମିଳିଥିଲା ।ବୁଝିବାରେ ଜଣାପଡିଛି ସେଠାରେ ଡ୍ୟୁଟି କରିବା ନିମନ୍ତେ ନିର୍ଦ୍ଦେଶ ପାଇଥିବା ଦୁଇଜଣ ଶିକ୍ଷକ ଙ୍କ ମଧ୍ୟରୁ ପଞ୍ଚାନନ ଜେନା ଏଠାକୁ କାର୍ଯ୍ୟ କରିବା ପାଇଁ ଆସି ନାହାନ୍ତି । ଶିକ୍ଷକ ଙ୍କ ଅନୁପସ୍ଥିତ ର କାରଣ ନେଇ ବୁଝିବାରେ ଶିକ୍ଷକ ଶ୍ରୀଜେନା କାର୍ଯ୍ୟ କରୁଥିବା ସିଙ୍ଗି ପଦର ପ୍ରାଥମିକ ବିଦ୍ୟାଳୟ ଗ୍ରାମରେ ଏପରିକି ଗୁଣପୁର ଠାରେ ଦୀର୍ଘ ମାସ ଧରି ଅନୁପସ୍ଥିତ ଅଛନ୍ତି । କୋଭିଡ ଡ୍ୟୁଟି ରେ ନିୟୋଜିତ କର୍ମଚାରୀ ଙ୍କ ଛୁଟି ବାତିଲ କରାଯାଇଥିବା ବେଳେ କିଭଳି ଏହି ଶିକ୍ଷକ ଜଣକ ସୁଦୂର ଭଦ୍ରକ ଠାରେ ରହି ଦରମା ପାଉଛନ୍ତି ଏହା ଆଶ୍ଚର୍ଯ୍ୟ କରିଛି । ଶ୍ରୀ ଜେନା ଙ୍କ ଅନୁପସ୍ଥିତ ଖବରକୁ ସଂପୃକ୍ତ ସିଆରସିସି ଘଣ୍ଟ ଘୋଡାଇ ରଖୁଥିବା ଅଭିଯୋଗ ହେଉଛି । ଯାଞ୍ଚ କରିବାରୁ ଜଣାଯାଇଛି ଏହି ଶିକ୍ଷକ ଜଣଙ୍କୁ ଏହାର ପୂର୍ବ ଦିନ ଏହି ସ୍ଥାନରେ କାର୍ଯ୍ୟ କରିବାପାଇଁ ନିୟୋଜିତ କରାଯାଇଥିଲେ ସୁଦ୍ଧା ସେ ଏଠାରେ କାମ କରିନଥିଲେ । କିନ୍ତୁ ସେ ଏଠାରେ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିବା ଭଳି ଦସ୍ତଖତ ହୋଇଛି। ଶିକ୍ଷକ ଙ୍କ ଅନୁପସ୍ଥିତ ବିଷୟ ନେଇ ସ୍ଥାନୀୟ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ବେହେରା ଙ୍କ ସହ ଯୋଗାଯୋଗ କରିବାରୁ ଶିକ୍ଷକ ଶ୍ରୀ ଜେନାଙ୍କ ହେଡକ୍ୱାଟର ରେ ଅନୁପସ୍ଥିତି, କାର୍ଯ୍ୟରେ ଅବହେଳା ଏବଂ ତାଙ୍କ ବଦଳରେ ରେଜିଷ୍ଟ ର ରେ ଅନ୍ୟ ଜଣେ ଦସ୍ତଖତ କରିଥିବା ଘଟଣା ନେଇ ସେ କୌଣସି କଥା ଜାଣିନଥିବା ପ୍ରକାଶ କରିଛନ୍ତି ।

ଘଟଣା ଗୁଡିକ ସ୍ପଷ୍ଟ କରୁଛି ଏଠାରେ ଯାଞ୍ଚ ପ୍ରକ୍ରିୟା ,ତଦାରଖ ଓ ସୁପରଭିଜନ କିଭଳି ଚାଲିଛି । ଏମିତି ଚାଲିଲେ ଜିଲ୍ଲାପାଳ ଯେଉଁ ଉଦ୍ଦେଶ୍ୟ ନେଇ ନିର୍ଦ୍ଦେଶ ଦେଇଛନ୍ତି ତାହା କିଭଳି ଫଳପ୍ରଦ ହେବବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ବ୍ୟକ୍ତିଗତ ଭାବେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

Leave a Reply

Your email address will not be published. Required fields are marked *