ନୂଆ ଲୁକ୍‌ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବ ଭାରତ, ଜାଡେଜା ଜାରି କଲେ ଫଟୋ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବାକୁ ବିରାଟ ବାହିନୀ ପ୍ରସ୍ତୁତ। ବର୍ତ୍ତମାନ କ୍ୱାରେଣ୍ଟାଇନରେ ଥିବା ଟିମ୍‌ ଇଣ୍ଡିଆ ଜୁନ୍‌ ୨ରେ ଇଂଲଣ୍ଡକୁ ଉଡ଼ାଣ ଭରିବ। ସେଠାରେ ପୁଣି ୧୦ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଜୁନ ୧୮ରୁ ୨୨ ଯାଏ ଏହି ଫାଇନାଲ ମ୍ୟାଚ୍‌ ଖେଳାଯିବ। ତେବେ ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କୁ ନୂଆ ଲୁକ୍‌ ଦେଖିବାକୁ ମିଳିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପାଇଁ ବିସିସିଆଇ ନୂଆ ସ୍ୱେଟର ତିଆରି କରିଛି। ଏହାର ପ୍ରଥମ ଫଟୋ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶେୟାର କରିଛନ୍ତି। ୯୦ ଦଶକରେ ଭାରତୀୟ କ୍ରିକେଟ ଟିମ୍‌ର ସଦସ୍ୟମାନେ ଯେଉଁଭଳି ସ୍ୱେଟର ପିନ୍ଧୁଥିଲେ, ଏବେ ପୂରା ସମାନ ଢଙ୍ଗରେ ଏହାକୁ ପ୍ରସ୍ତୁତ କରାଯାଇଛି। ସ୍ୱେଟରର ଉପର ଭାଗରେ ବଡ଼ବଡ଼ ଅକ୍ଷରରେ ଇଣ୍ଡିଆ ଲେଖାଯାଇଛି। ସେହିପରି ଛାତି ପାଖରେ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ୨୦୨୧ ଲେଖାଯାଇଛି। ଏହି ସ୍ୱେଟରକୁ ପିନ୍ଧି ଜାଡେଜା ନିଜର ଫଟୋ ଶେୟାର କରିଛନ୍ତି। ଏହାର କ୍ୟାପସରେ ସେ ଲେଖିଛନ୍ତି, ରିୱାଇଣ୍ଡ ଟୁ ୯୦। ଏହାକୁ ଅନେକ ଲୋକ ଲାଇନ କରିବା ସହ ଶେୟାର କରିବାରେ ଲାଗିଛନ୍ତି। ପୂର୍ବତନ କ୍ରିକେଟର ୱାସିମ ଜାଫର ଏହି ସ୍ୱେଟର ଉପରେ ପ୍ରତିକ୍ରିୟା ଦେଇ ଅଭିନେତା ଅନୀଲ କପୁରଙ୍କ ଲୋକପ୍ରିୟ ଡାଏଲଗ ଝାକାଶ ବୋଲି କହିଛନ୍ତି। ସେହିପରି ଆହୁରି ଅନେକ ଲୋକ ମଧ୍ୟ ଜାଡେଜାଙ୍କ ଫଟୋ ଉପରେ କମେଣ୍ଟ କରିଛନ୍ତି।ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଟୁର ବେଳେ ଜାଡେଜା ଆହତ ହୋଇଥିଲେ। କିନ୍ତୁ ଆଇପିଏଲ ଜରିଆରେ ସେ କ୍ରିକେଟକୁ କମବ୍ୟାକ କରିଥିଲେ। ଏବେ ତାଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜର ସ୍କ୍ୱାଡରେ ସାମିଲ କରାଯାଇଛି। ଜାଡେଜା ବର୍ତ୍ତମାନ ଟେଷ୍ଟ ଅଲରାଉଣ୍ଡର ତାଲିକାର ୩ନଂ ସ୍ଥାନରେ ରହିଛନ୍ତି।

Leave a Reply

Your email address will not be published. Required fields are marked *