କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ, ବିଜେଡିରେ ଯୋଗ ଦେବେ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। କଂଗ୍ରେସରୁ ଇସ୍ତଫା ଦେଲେ ଝାରସୁଗୁଡ଼ା ବିଧାୟକ ନବ ଦାସ। ସେ ପିସିସିର କାର୍ଯ୍ୟକାରୀ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଖୁବ୍‌ଶୀଘ୍ର ବିଧାୟକ ପଦରୁ ବି ଇସ୍ତଫା ଦେବେ ବୋଲି ସୂଚନା ମିଳିଛି।

ସେ ବିଜେଡିରେ ଯୋଗ ଦେବେ ବୋଲି ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ସେ ବିଜେଡିରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଅଞ୍ଚଳବାସୀ ଚାହୁଁଥିବା ସେ ଉଲ୍ଲେଖ କରିଛନ୍ତି।

ନବ ଲେଖିଛନ୍ତି,“ମୋ ଅଞ୍ଚଳର ଲୋକେ ଚାହୁଁଛନ୍ତି ମୁଁ ୨୦୧୯ ନିର୍ବାଚନ ବିଜେଡିରୁ ଲଢ଼େ। କାରଣ ସେମାନେ ଅଞ୍ଚଳର ବିକାଶ ଚାହୁଁଛନ୍ତି। ମୁଁ ବିଜେଡିରେ ଯୋଗ ଦିଏ ବୋଲି ସେମାନେ ଚାହୁଁଛନ୍ତି। ମୋ ଲୋକଙ୍କ ମୂଲ୍ୟବାନ ପରାମର୍ଶ ସଂପର୍କରେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ୨୪ ତାରିଖରେ ଜଣାଇବି, ଯେତେବେଳେ ସେ ଝାରସୁଗୁଡ଼ା ଗସ୍ତରେ ଆସିବେ।”

ଇସ୍ତଫା ପାଇଁ କ୍ଷମାପ୍ରାର୍ଥନା କରିବା ସହିତ ବିକାଶ ପାଇଁ ବିଜେଡିରେ ଯୋଗଦେବା ଉଚିତ୍ ହେବ ବୋଲି ଇସ୍ତଫାପତ୍ରରେ ନବ ଲେଖିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କର କିଛି ଅଭିଯୋଗ ନାହିଁ ବୋଲି ସେ ଇସ୍ତଫାପତ୍ରରେ ଲଖିଛନ୍ତି। ନିରଞ୍ଜନଙ୍କ ସହିତ ତାଙ୍କର ଭଲ ସଂପର୍କ ଥିବା ସେ ଏଥିରେ ସ୍ପଷ୍ଟ କରିଛନ୍ତି।

ଜାନୁଆରୀ ୨୪ ତାରିଖରେ ନବ ଦାସ ବିଜେଡିରେ ଯୋଗ ଦେଇପାରନ୍ତି।

କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, ନବ ଦାସଙ୍କ ଇସ୍ତଫାର ପ୍ରଭାବ କଂଗ୍ରେସ ଉପରେ ପଡ଼ିବ ନାହିଁ। କଂଗ୍ରେସ ଏଥିପାଇଁ ଆଦୌ ବ୍ୟସ୍ତ ବା ବିବ୍ରତ ହେଉନି। ଯେତେ ଲୋକ କଂଗ୍ରେସ ଛାଡୁଛନ୍ତି, ସେତେ ଲୋକ ଆସୁଛନ୍ତି। ବିଜେଡିରୁ ବହୁ ନେତା କଂଗ୍ରେସକୁ ଆସିବାକୁ ଚାହୁଁଛନ୍ତି। ଭୂପିନ୍ଦର ସିଂହ ଓ ଅନୁପ ସାଏ ବିଜେଡି ଯାଇଥିଲେ। ଏବେ ସେମାନେ କେଉଁଠି?”

ସୂଚନାଯୋଗ୍ୟ, ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ନବ ଦାସ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କୁ ପରାସ୍ତ କରିଥିଲେ।

ନବ କଂଗ୍ରେସ ଛାଡ଼ିବେ ବୋଲି ପ୍ରାୟ ମାସକ ଆଗରୁ ସଂକେତ ଦେଇ ସାରିଥିଲେ। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସକାରାତ୍ମକ ମନ୍ତବ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *