କରୋନାର ତୃତୀୟ ଲହର ରୋକିବାକୁ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଲହରରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ତୃତୀୟ ପର୍ଯ୍ୟାୟ ଲହରକୁ ମୁକାବିଲା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଲୋଡ଼ିଛନ୍ତି। କୋଭିଡ୍ ଟିକାକରଣ ପରାମର୍ଶଦାତା କମିଟିର ଆଜି ପ୍ରଥମ ବୈଠକରେ ଅଧ୍ୟକ୍ଷତାରେ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଶର ଶୀର୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ କରୋନା ମହାମାରୀର ପରବର୍ତ୍ତୀ ସଂକ୍ରମଣକୁ କିଭଳି ରୋକିହେବ ଓ ଏନେଇ ସ୍ୱାସ୍ଥ୍ୟସେବାକୁ କିଭଳି ସୁଦୃଢ଼ କରିହେବ, ସେ ସମ୍ପର୍କରେ ପରାମର୍ଶ ଲୋଡ଼ିଥିଲେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶରେ କରୋନା ମହାମାରୀକୁ ହରାଇବା ପାଇଁ ରାଜ୍ୟକୁ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ୍ ଟିକାକରଣ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ଡାକ୍ତର ଲଳିତ କାନ୍ତ, ଡାକ୍ତର ମୃଦୁଳା ଫାଡକେ, ଡାକ୍ତର ଦତ୍ତ୍ୱେଶ୍ୱର ହୋତା, ଡାକ୍ତର ଇ.ଭେଙ୍କଟ ରାଓ, ଡାକ୍ତର ସଂଘମିତ୍ରା ପତି, ଡାକ୍ତର ଏମଆର ପଟ୍ଟନାୟକ, ଡାକ୍ତର ଅଜୟ ପରିଡ଼ା ଓ ଡାକ୍ତର ସିବିକେ ମହାନ୍ତି ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ଭର୍ଚୁଆଲ ବୈଠକରେ ନିମନ୍ତ୍ରଣ ରକ୍ଷା କରି ଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କରୋନା ମହାମାରୀର ଭୟାବହତା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ଠିକ୍ ସମୟରେ କରୋନା ସଂକ୍ରମିତ ରୋଗୀଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବହୁମାତ୍ରାରେ ସଫଳ ହୋଇଛି। ନିଜର ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ସହ ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ୍ ଯୋଗାଣ କରିବାରେ ଓଡ଼ିଶା ସକ୍ଷମ ହୋଇପାରିଛି। ରାଜ୍ୟର କେତେକ ଜିଲ୍ଲାକୁ ଛାଡ଼ିଦେଲେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଏବେ ରାଜ୍ୟ ସରକାର କୋଭିଡ୍ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ସମସ୍ତଙ୍କୁ ଟିକା ଦେବା ପାଇଁ ରାଜ୍ୟ ସରକାର ଏବେ ନିଜର ସମସ୍ତ ପ୍ରୟାସ ଜାରି ରଖିଛନ୍ତି। କରୋନାର ତୃତୀୟ ଲହରକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ବ୍ୟକ୍ତ କରିବା ସହ ଯଦି ତାହା ଆମର ଶିଶୁମାନଙ୍କୁ ସଂକ୍ରମଣ କରେ ଏବଂ ଏହା ଯଦି ସତ ହୋଇଥାଏ ତା’ହେଲେ ଆମକୁ ଏବେଠୁ ଉତ୍ତମ ପ୍ରସ୍ତୁତି କରିବାକୁ ପଡ଼ିବ । ଯଦିଓ ହସ୍ପିଟାଲରେ ଶିଶୁଙ୍କ ଯତ୍ନ ନେବା ଏବେବି ଏକ ବଡ଼ ଚ୍ୟାଲେଞ୍ଜ। କମିଟିର ପରାମର୍ଶକୁ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତି ଓ କମିଟିର ସୁପାରିସକୁ ମଧ୍ୟ ସରକାର କାର୍ଯ୍ୟକାରୀ କରିବା ପାଇଁ ସବୁପ୍ରକାର ସହାୟତା କରାଯିବ ବୋଲି ସେ ଆଶ୍ୱସ୍ତ କରିଥିଲେ। ସେହିପରି ବୈଠକରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀନାଥ ରେଡ୍ଡୀ କହିଥିଲେ ଯେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶରେ ବିଭିନ୍ନ କ୍ଷେତ୍ରରେ ଆଗୁଆ ଯୋଜନା କରାଯାଇପାରିବ। କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିହେବ ବୋଲି ସେ କହିଛନ୍ତି। ଅନ୍ୟ ଡାକ୍ତରମାନେ ମଧ୍ୟ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ହ୍ରାସ ଓ ଭବିଷ୍ୟତ ଲହରକୁ ମୁକାବିଲା କରିବା ଦିଗରେ ନିଜର ମତାମତ ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *