ଡରାଇଲାଣି ବ୍ଲାକ ଫଙ୍ଗସ: ଓଡ଼ିଶା ସମେତ ଏକାଧିକ ରାଜ୍ୟକୁ ଇଞ୍ଜେକସନ ପଠାଇଲା କେନ୍ଦ୍ର…!
ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହମାରୀ କରୋନା ସଂକ୍ରମଣ ଭିତରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାର ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକସନ ନଥିବା ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଓଡ଼ିଶା ସମେତ ଏକାଧିକ ରାଜ୍ୟକୁ ୨୩ ହଜାରରୁ ଅଧିକ ବ୍ଲାକ ଫଙ୍ଗସ ଇଞ୍ଜେକସନ ପଠାଇଛନ୍ତି। ଏଯାଏ ଦେଶରେ ୮୮୪୮ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ରମନ୍ତ୍ରୀ ସଦେନ୍ଦ ଗୌଡ଼ା କହିଛନ୍ତି, ବ୍ଲାକ ପଙ୍ଗସ ବା ମ୍ୟୁକ୍ରୋମାଇକୋସିସି ରୋଗୀଙ୍କ ସଂଖ୍ୟା ସାରା ଦେଶରେ ବଢ଼ୁଥିବାରୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଅତିରିକ୍ତ ୨୩,୬୮୦ Amphotericin- B ଇଞ୍ଜେକସନର ଭିଆଲ୍ସ ପଠାଇଛନ୍ତି। ଏହି Amphotericin- B ଫଙ୍ଗସ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇଥାଏ। ଏଥିସହ ସେ କେଉଁ ରାଜ୍ୟକୁ କେତେ ଭିଆଲ Amphotericin- B ଦିଆଯାଇଛି, ତା’ର ତାଲିକା ମଧ୍ୟ କେନ୍ଦ୍ରମନ୍ତ୍ରୀ ଜାରି କରିଛନ୍ତି। ତାଙ୍କ ତାଲିକା ଅନୁଯାୟୀ, ଗୁଜରାଟରେ ସର୍ବାଧିକ ୨,୨୮୧ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବାରୁ ସେଠାରୁ ସର୍ବାଧିକ ୫,୮୦୦ ଭିଆଲ୍ସ ପଠାଯାଇଛି। ଏହା ପଛକୁ ମହାରାଷ୍ଟ୍ରରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ୫୦୯୦ ଭିଆଲ୍ସ ଓ ଆନ୍ଧ୍ର ପ୍ରଦେଶକୁ ତୃତୀୟ ସର୍ବାଧିକ ୨୩୧୦ ଭିଆଲ୍ସ Amphotericin- B ପଠାଯାଇଛି। ଆନ୍ଧ୍ରରେ ୯୧୦ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏଯାଏ ୧୫ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବାରୁ କେନ୍ଦ୍ର ସରକାରର ମାତ୍ର ୫୦ ଭିଆଲ୍ସ Amphotericin- B ପଠାଇଛନ୍ତି। ପଶ୍ଚିମବଙ୍ଗରେ ମାତ୍ର ଜଣେ ବ୍ଲାକ ଫଙ୍ଗସ ଓ ଉତ୍ତରାଖଣ୍ଡରେ ୨ ଜଣ ରୋଗୀ ଚିହ୍ନଟ ହୋଇଥିଲେ ହେଁ ଉକ୍ତ ଦୁଇ ରାଜ୍ୟକୁ ମଧ୍ୟ ଓଡ଼ିଶା ଭଳି ସମାନ ୫୦ ଭିଆଲ୍ସ Amphotericin- B ପଠାଯାଇଛି। ତେଲେଙ୍ଗାକୁ ୮୯୦ ଭିଆଲ୍ସ, ଦିଲ୍ଲୀକୁ ୬୭୦ ଭିଆଲ୍ସ, ହରିଆଣାକୁ ୬୪୦, କର୍ଣ୍ଣାଟକା ୧୨୭୦, ମଧ୍ୟପ୍ରଦେଶକୁ ୧୮୩୦, ରାଜସ୍ଥାନକୁ ୧୭୮୦ ଓ ଉତ୍ତର ପ୍ରଦେଶକୁ ୩୮୦ ଭିଆଲ୍ସ Amphotericin- B କେନ୍ଦ୍ର ସରକାର ଆଜି ପଠାଇଛନ୍ତି। ବିଭିନ୍ନ ରାଜ୍ୟ ବ୍ୟତୀତ କେନ୍ଦ୍ରୀୟ ଇନଷ୍ଟିଚ୍ୟୁସନରେ ୪୪୨ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି କେନ୍ଦ୍ର ଇନଷ୍ଟିଚ୍ୟୁସନଗୁଡ଼ିକୁ Amphotericin- Bର ୧୫ଶହ ଭିଆଲ୍ସ ଦିଆଯାଇଛି। ଆସାମ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ସିକ୍କିମ, ଜମ୍ମୁ-କଶ୍ମୀର, ଆଣ୍ଡାମାନ ନିକୋବର, ଲଦାଖ, ଲାକ୍ଷାଦ୍ୱୀପ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ ଓ ପୁଡୁଚେରୀକୁ କେନ୍ଦ୍ର ପକ୍ଷରୁ କୌଣସି ଭିଆଲ୍ସ Amphotericin- B ପଠାଯାଇନାହିଁ। ଦିନକୁ ଦିନ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସରକାର ଦେଶର ୧୧ଟି ଔଷଧ ନିର୍ମାଣକାରୀ ସଂସ୍ଥାକୁ ଏହାର ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକସନ ଉତ୍ପାଦନ କରିବାକୁ କହିଛନ୍ତି।

