ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗୀର) – ବଲାଙ୍ଗୀରରେ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ସଂକ୍ଷିପ୍ତ ଓଡ଼ିଶା ଗସ୍ତରେ ଆସି ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହିସବୁ ପ୍ରକଳ୍ପ ଶିକ୍ଷା, ସଂସ୍କୃତି, ରେଳପଥ, ଭିତିଭୂମି ଏବଂ ସହଜ ଜୀବନଧାରଣ ସଂକ୍ରାନ୍ତ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ।
ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଝାରସୁଗୁଡ଼ା ବହୁମୁଖୀ ଲଜିଷ୍ଟିକ୍ ପାର୍କ, ଝାରସୁଗୁଡ଼ା-ବିଜୟନଗରମ୍ ରେଳଲାଇନ୍ ଏବଂ ସମ୍ବଲପୁର-ଅନୁଗୋଳ ରେଳ ଲାଇନ୍ର ବିଦୁ୍ୟତିକରଣ, ବରପାଲି-ଡୁଙ୍ଗୁରିପାଲି ଏବଂ ବଲାଙ୍ଗୀର-ଦେଓଗାଁ ରେଳପଥର ଦୋହରୀକରଣ ତଥା ଥେରୁବାଲି- ସିଙ୍ଗାପୁରରୋଡ ଷ୍ଟେସନ ମଧ୍ୟରେ ୫୮୮ ନମ୍ବର ବ୍ରିଜ୍ର ଲୋକାର୍ପଣ କରିଛନ୍ତି । ସେହିଭଳି ସୁବର୍ଣ୍ଣପୁରଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ନିର୍ମାଣ କାର୍ଯ୍ୟର ଆଧାରଶିଳା ରଖିଛନ୍ତି ।ଏହାଛଡ଼ା ରାୟଗଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ, ବଲାଙ୍ଗୀର-ବିଛୁପାଲି ସେକ୍ସନ ରେଳଲାଇନ୍, ବଲାଙ୍ଗୀର-ବିଛୁପାଲି ମଧ୍ୟରେ ନୂତନ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେହିଭଳି ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଫୁଲବାଣୀ ଏବଂ ପୁରୀ ଡାକଘରଗୁଡ଼ିକରେ ପାସ୍ପୋର୍ଟ ସେବାକେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି । ଅଧିକନ୍ତୁ, ପ୍ରଧାନମନ୍ତ୍ରୀ ଏହି ଗସ୍ତକ୍ରମରେ କେତେକ ସାଂସ୍କୃତିକ ମହତ୍ୱ ବହନ କରୁଥିବା ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଛନ୍ତି । ସେଥିମଧ୍ୟରେ ରହିଛି – ବୌଦ୍ଧ ଜିଲ୍ଲାର ନୀଳମାଧବ ଓ ସିଦେ୍ଧଶ୍ୱର ମନ୍ଦିର ଏବଂ ପଶ୍ଚିମ ସୋମନାଥ ମନ୍ଦିର ସମୂହ, ବଲାଙ୍ଗୀର ଜିଲ୍ଲାର ରାଣୀପୁର-ଝରିଆଳ ଐତିହ୍ୟ ସଂକୁଳ ଏବଂ କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଦୁର୍ଗସ୍ଥିତ ପ୍ରାଚୀନ ଐତିହ୍ୟ ସ୍ଥଳୀର ବିକାଶ,ସଂରକ୍ଷଣ ଓ ସୌନ୍ଦର୍ଯ୍ୟବର୍ଦ୍ଧନ କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ ସିଂହଦେଓ ,ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ ।