ସମ୍ବିତ ପାତ୍ରଙ୍କୁ ଟ୍ୱିଟର୍‌ର ଛାଟ, ଟୁଲକିଟ୍‌ ଟ୍ୱିଟକୁ ମିଳିଲା ‘ହେରଫେର’ ଟ୍ୟାଗ୍‌..!

ଏଥର ସମ୍ଭାଳ ବ୍ୟୁରୋ  (ନୂଆଦିଲ୍ଲୀ)- କରୋନା ମହାମାରୀ ବେଳେ ଯେଉଁ ତଥାକଥିତ ଟୁଲକିଟକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି, ତା’ ଉପରେ ଆଜି ଟ୍ୱିଟର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଜେପିର ଜାତୀୟ ମୁଖପାତ୍ର ସମ୍ବିତପାତ୍ର ଉକ୍ତ ଟୁଲକିଟ୍‌ କଂଗ୍ରେସ ଜାରି କରିଥିବା କହି ଟ୍ୱିଟ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ବଦନାମ କରିବା ପାଇଁ କଂଗ୍ରେସ ଷଡ଼ଯନ୍ତ୍ର କରୁଥିବା କଥା ଉଲ୍ଲେଖ ଥିବା ସମ୍ବିତ ଦାବି କରିଥିଲେ। ତେବେ ଟ୍ୱିଟର ଆଜି ସମ୍ବିତଙ୍କ ଟ୍ୱିଟ ଉପରେ ଆକ୍ସନ ନେଇଛି। ସମ୍ବିତ ପାତ୍ର କରିଥିବା ତଥାକଥିତ ଟୁଲକିଟ୍‌ ଟ୍ୱିଟକୁ ସଂସ୍ଥା ପକ୍ଷରୁ ମ୍ୟାନୁପଲେଟେଡ୍‌ ମିଡିଆ ବା ହେରଫେର କଣ୍ଟେଣ୍ଟ ବୋଲି କୁହାଯାଇଛି। ସମ୍ବିତ କରିଥିବା ଟ୍ୱିଟ ତଳେ ଏହି ଟ୍ୟାଗ୍‌କୁ ଯୋଡ଼ା ଯାଇଛି। ସମ୍ବିତଙ୍କ ଟ୍ୱିଟ ଉପରେ ହେରଫେଲ ଟ୍ୟାଗ ଟ୍ୱିଟର ଲଗାଇବା ପରେ ଏହା ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି। କାରଣ ଏହି ତଥାକଥିତ ଟୁଲକିଟ ଜରିଆରେ ଦଳ କଂଗ୍ରେସକୁ ଘେରିବା ପାଇଁ ଉଦ୍ୟମ କରିଥିଲା। କଂଗ୍ରେସ ଏହାକୁ ବିଜେପିର ଷଡ଼ଯନ୍ତ୍ର ଓ ଦଳର ନକଲି ଲେଟରହେଡ୍‌ ବ୍ୟବହାର କରି ବିଜେପି ନିଜେ ଏହାକୁ ପ୍ରସ୍ତୁତ କରିଛି ବୋଲି କହିଥିଲା। ଏଥିସହ ଟ୍ୱିଟରକୁ ବିଜେପି ନେତାମାନେ ଟୁଲକିଟ ସଂକ୍ରାନ୍ତରେ କରିଥିବା ଟ୍ୱିଟକୁ ହଟାଇବାକୁ ଦାବି କରାଯାଇଥିଲା। ଟ୍ୱିଟରର ନିୟମ ଅନୁଯାୟୀ, ଯଦି ଆପଣ କୌଣସି ବିଷୟବସ୍ତୁ ଉପରେ ସୂଚନା ଦେବାକୁ ଟ୍ୱିଟ କରିଛନ୍ତି, କିନ୍ତୁ ଏହାର ଉତ୍ସ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିନାହିଁ କିମ୍ବା ଏହା ଭୁଲ, ତା’ହେଲେ ଏଭଳି ଟ୍ୱିଟ, ଫଟୋ, ଭିଡିଓ ଉପରେ କମ୍ପାନୀ ଏପରି ମ୍ୟାନୁପଲେଟେଡ୍‌ ଟ୍ୟାଗ ଲଗାଇ ଥାଏ। ସୂଚନାଯୋଗ୍ୟ, ମେ’ ୧୮ରେ ସମ୍ବିତ ପାତ୍ର ଗୋଟିଏ ଟ୍ୱିଟ କରିଥିଲେ। ଏଥିରେ ସେ ଯୋଡ଼ିଥିବା ଗୋଟିଏ ବିଷୟବସ୍ତକୁ କଂଗ୍ରେସ ପ୍ରସ୍ତୁତ କରିଥିବା ଟୁଲକିଟ୍‌ ବୋଲି ଦାବି କରିଥିଲେ। ମହାମାରୀ ସମୟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଛବିକୁ ଖରାପ କରିବାକୁ ଉଦ୍ୟମ କରୁଥିବା ସମ୍ବିତ ପାତ୍ର ଅଭିଯୋଗ କରିଥିଲେ। ଏହି ଟୁଲ୍‌କିଟ୍‌ରେ କଂଗ୍ରେସ ତା’ର କର୍ମୀମାନଙ୍କୁ କରୋନା ଭାଇରସର ବିଭିନ୍ନ ରୂପକୁ ମୋଦି ଓ ଇଣ୍ଡିଆନ ଷ୍ଟ୍ରେନ ଭାବେ ପ୍ରଚାର କରିବାକୁ କହିଥିଲା। ସେହିପରି କମ୍ଭକୁ କରୋନାର ସୁପର ସ୍ପ୍ରେଡର ଭାବେ ବିବେଚନା କରିବାକୁ କଂଗ୍ରେସ ଅଭିଯାନ ଆରମ୍ଭ କରିବାକୁ ଟୁଲକିଟରେ କହିଥିବା ସମ୍ବିତ ପାତ୍ର ଅଭିଯୋଗ କରିଥିଲେ। ତେବେ କଂଗ୍ରେସ ଏହାକୁ ମିଛ ବୋଲି କହିବା ସହ ରାଜସ୍ଥାନ ଓ ଛତିଶଗଡ଼ରେ ସମ୍ବିତ ପାତ୍ରଙ୍କ ସମେତ ‌ଅନ୍ୟ ବିଜେପି ନେତାଙ୍କ ନାଁରେ ଏଫଆଇଆର ରୁଜୁ କରିଛି।

Leave a Reply

Your email address will not be published. Required fields are marked *