Site icon Ethara Sambhala

ଡି.କରଲରେ ପଡିଛି ଟ୍ରାନ୍ସଫର୍ମର;ସପ୍ତାହେରୁ ଅଧିକ ହେଲା ଗ୍ରାମରେ ବିଦ୍ୟୁତ୍ ଠପ୍…!

!!! ରାୟଗଡା ଜିଲ୍ଲା ରୁ ଟାଉନ ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କାଶିପୁର)- କାଶିପୁର ବ୍ଲକ ଅନ୍ତର୍ଗତ ଡି.କରଲ ଗ୍ରାମର ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଆଜିକୁ ସପ୍ତାହେରୁ ଅଧିକ ହେଲା ଗ୍ରାମରେ ବିଦ୍ୟୁତ ନାହିଁ। ବର୍ତ୍ତମାନ ଲକଡାଉନ ଯୋଗୁଁ ଲୋକେ ଅଧିକ ସମୟ ଘରେ ରହୁଛନ୍ତି। ଏହାସହ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ଗରମ ଯୋଗୁଁ ରୋଗୀ ଓ ଶିଶୁମାନଙ୍କୁ ସମ୍ଭାଳିବା ମୁସ୍କିଲ ହୋଇପଡ଼ିଛି। ଏପରି ସମୟରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଲୋକେ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି। ଡି.କରଳ ଗ୍ରାମରେ ପ୍ରାୟ ୮ଦିନ ହେବ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ରହିଛି।

ବିଭାଗୀୟ ଜେ.ଇ.ଙ୍କୁ ଏବିଷୟରେ କହିଲେ ସେ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଡି.କରଲ ଗ୍ରାମର ଉପର ସାହିରେ ପ୍ରାୟ ୨୧୦ପରିବାର ବାସ କରୁଛନ୍ତି। ଗ୍ରାମର କିଛି ଭଦ୍ର ବ୍ୟକ୍ତି ଉତ୍କଳ ଆଲୁମିନା ପ୍ରକଳ୍ପକୁ ଏକ ନୂତନ ଟ୍ରାଂସ୍ଫର୍ମର ଯୋଗାଇ ଦେବାକୁ ଲିଖିତ ଆକାରରେ ଅନୁରୋଧ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗର ଉଦାସୀନତା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ତେଣୁ ବିଦ୍ୟୁତ ବିଭାଗ ଅଧିକାରୀ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଡି.କରଲରେ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ କରିବା ନିମନ୍ତେ ଦାବି ହେଉଛି।

Exit mobile version