ଆସୁଛି ବାତ୍ୟା, ୨୫ରୁ ଓଡ଼ିଶାରେ ବର୍ଷା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବଙ୍ଗୋପସାଗରରେ ଆସୁଛି ବାତ୍ୟା। ମେ’ ୨୬ ତାରିଖରେ ଏହା ଉପକୂଳ ଆଡ଼େ ମୁହାଁଇବ।ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି। ତେବେ କେଉଁଠି ଏହା ଉପକୂଳ ଛୁଇଁବ, ଏବେଠୁ କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ। ୨୫ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ କ୍ଷେତ୍ର। ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ। ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନର ଆକଳନ ଅନୁଯାୟୀ, ୨୬ ତାରିଖ ସକାଳେ ଏହା ଉପକୂଳ ଆଡ଼େ ମୁହାଁଇବ। ତେବେ କେଉଁଠି ଉପକୂଳ ଛୁଇଁବ ଏବେ ଠୁ କହିବା ସମ୍ଭବ ନୁହେଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ସଠିକ ଆକଳନ କରାଯାଇପାରିବ। ଅନ୍ୟପକ୍ଷରେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି। ସେ କହିଛନ୍ତି, ଏହାର ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ। ଏହା ସହିତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସେ ସତର୍କ କରିଛନ୍ତି। ଆଇଏମ୍‌ଡି ଡିଜି କହିଛନ୍ତି, ମତ୍ସ୍ୟଜୀବୀମାନେ ମେ’ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ। ସେହିପରି ୨୪ରୁ ୨୭ ଯାଏ ଉତ୍ତର ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *