ଗରିବ ପରିବାରକୁ ମାସିକ ୬ହଜାର ଟଙ୍କା ସହାୟତା ଦାବି କଲା କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ବିପତ୍ତି ସମୟରେ ରୋଜଗାରହୀନ ଗରିବ ଓ ସ୍ୱଳ୍ପ ଆୟକାରୀ ପରିବାରକୁ ମାସିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ଏଥିପାଇଁ କଂଗ୍ରେସ ପକ୍ଷରୁ ଆଜି ଏକ ସର୍ବସମ୍ମତି ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ଏହାସହିତ କୋଭିଡ୍ ମହାମାରୀ ପରିଚାଳନା, ଟିକାକରଣ ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗରେ ଏକ ଶ୍ୱେତପତ୍ର ରାଜ୍ୟ ସରକାର ପ୍ରକାଶ କରିବାକୁ କଂଗ୍ରେସ କହିଛି। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଆୟୋଜିତ ବୈଠକରେ ଓଡ଼ିଶା ପ୍ରଭାରୀ ଏ ଚେଲାକୁମାର ଓ ସହପ୍ରଭାରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ରାଜ୍ୟର କରୋନା ସ୍ଥିତି ଓ ସାଂଗଠନିକ କାର୍ଯ୍ୟକଳାପ ସମୀକ୍ଷା ହୋଇଥିଲା। ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତାମାନେ ସାମିଲ ହୋଇ କରୋନା ଦାଉରୁ ଓଡ଼ିଶାବାସୀଙ୍କୁ ରକ୍ଷା କରିବା କ୍ଷେତ୍ରରେ କଂଗ୍ରେସ ନେଇଥିବା ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। ଏହାସହିତ ରାଜ୍ୟ ସରକାରଙ୍କ କରୋନା ପରିଚାଳନାର ଅବ୍ୟବସ୍ଥା ଓ ବିଫଳତା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା।  କଂଗ୍ରେସ ପକ୍ଷରୁ ଭୁବନେଶ୍ୱର, କଟକ, ବାଲେଶ୍ୱର, ବଲାଙ୍ଗୀର, ନୂଆପଡ଼ା ଓ ପାରାଦ୍ୱୀପ ଠାରେ ନିଶୁଳ୍କ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି। ଦଳର ପ୍ରତ୍ୟେକ ବିଧାୟକ ଯେଉଁମାନେ ବର୍ତମାନ ସୁଦ୍ଧା ଆଂଚଳିକ ବିଧାୟକ ପାଣ୍ଠିରୁ ଆମ୍ବୁଲାନ୍ସ ସେବାରେ ସାମିଲ ହୋଇ ନାହାଁନ୍ତି ସେମାନଙ୍କୁୁ ତୁରନ୍ତ ନିଜ ପାଣ୍ଠିରୁ ଆମ୍ବୁଲାନ୍ସ କିଣି ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ପିସିସି ତରଫରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ସଟ୍‌ଡାଉନ ଓ ଲକ୍‌ଡାଉନ ଲାଗୁ ଥିବାରୁ ବିପିଏଲ ପରିବାର, ସ୍ୱଳ୍ପ ରୋଜଗାର ପରିବାର, ବେରୋଜଗାରୀ ଆଦିବାସୀ ଓ ହରିଜନ ପରିବାର, ମତ୍ସ୍ୟଜୀବୀ ପରିବାର ଓ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପରିବାର ଅର୍ଥାଭାବ ଜନିତ ଦୁର୍ବିସହ ଜୀବନଯାପନ କରୁଥିବାରୁ ସରକାର ସମ୍ବେଦନଶୀଳ ହୋଇ ମାସିକ ସର୍ବନିମ୍ନ ୬ ହଜାର ଟଙ୍କା କରୋନା ସଂକଟ ଦୂର ହେବା ପର୍ଯ୍ୟନ୍ତ ଯୋଗାଇ ଦେବା ଏକ ସାମ୍ବିଧାନିକ କର୍ତ୍ତବ୍ୟ (ଧାରା-୨୧) ଦୃଷ୍ଟିରୁ ରାଜ୍ୟ ସରକାର ତୁରନ୍ତ ଏହା କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଦାବି କରିଛି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଅନ୍ଧକାରରେ ନ ରଖି କେଉଁ ୨ ମାସର କେତେ କେତେ ପରିମାଣର ଟୀକା ପ୍ରଦାନ କରାଯିବ ଓ କେବେ ସୁଦ୍ଧା ୧୮ରୁ ୪୪ ବର୍ଷର ଯୁବଶ୍ରେଣୀକୁ ଟିକାକରଣ କରାଯିବ ତାହାର ଏକ ବିସ୍ତୃତ ତାଲିକା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି। କରୋନା ପାଇଁ ଆଇସିୟୁ ବେଡ୍ ଅଭାବ ଥିବା ଓ ଧାନ,ପାନ ଓ ଦୁଗ୍ଧ ଚାଷୀଙ୍କୁ ତୁରନ୍ତ ସହଯୋଗ ଯୋଗାଇବାକୁ ମଧ୍ୟ କଂଗ୍ରେସ ଆହ୍ୱାନ ଦେଇଛି। ଏହି ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ସିଏସ ରାଜନ ଏକା, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ଏଆଇସିସି ସଂପାଦକ ଶରତ ରାଉତ, ବିଶ୍ୱ ମହାନ୍ତି, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ରାଜ୍ୟ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ୟାସିର ନୱାଜ, ପିସିସି କୋଭିଡ କଂଟ୍ରୋଲରୁମ ସଂଯୋଜକ ପଦ୍ମାକର ଗୁରୁ, ହଳଧର ସେଠୀ, ଅମୀୟ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବାଙ୍କନିଧି ବେହେରା, ସୁଚରିତା ମହାନ୍ତି, ସୁରେନ୍ଦ୍ର ନାଥ କର, ସୁଦର୍ଶନ ଦାସ, ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାଶ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ପିସିସି ମୁଖପାତ୍ର ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *