ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବହୁ ଚର୍ଚ୍ଚିତ ନାରଦା ଲାଞ୍ଚ କାରବାର ମାମଲାରେ ସିବିଆଇ ବେଙ୍ଗଲ ମନ୍ତ୍ରୀ ଫିରହାଦ ହକିମ, ସୁବ୍ରତ ମୁଖାର୍ଜୀ, ବରିଷ୍ଠ ବିଧାୟକ ମଦନ ମିତ୍ର ଓ ପୂର୍ବତନ ଟିଏମସି ନେତା ସୋଭନ ଚାଟାର୍ଜୀଙ୍କୁ ସେମାନଙ୍କ ଘରୁ ଉଠାଇ ନେଇଛି। ଏମାନଙ୍କୁ ସିବିଆଇ ଗିରଫ କରିଥିବା ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କୋଲକାତା ସ୍ଥିତ ସିବିଆଇ ଅଫିସରେ ପହଞ୍ଚିଛନ୍ତି। ମମତାଙ୍କ ସହ ଅନ୍ୟ କିଛି ଟିଏମସି ନେତା ଓ ମନ୍ତ୍ରୀ ମଧ୍ୟ ସିବିଆଇ ଅଫିସରେ ପହଞ୍ଚିଥିବା ଜଣାପଡ଼ିଛି। ମମତା ସିବିଆଇର ହଠାତ୍ ଏଭଳି ଗିରଫଦାରୀ ଆଚରଣକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ସିବିଆଇ ଆଜି ସ୍ୱତନ୍ତ୍ର କୋର୍ଟରେ ଏହି ୪ ନେତାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିବ ବୋଲି ଜଣାପଡ଼ିଛି। ସୋମବାର ସକାଳେ ସିବିଆଇ ଟିମ୍ ଫିରହାଦଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ପହଞ୍ଚିଥିଲା। ଏହାପରେ ତାଙ୍କୁ ନିଜ ସହ ଗାଡ଼ିରେ ବସାଇ କୋଲକାତା ଅଫିସକୁ ଆଣିଥିଲା। ସିବିଆଇ ତାଙ୍କୁ ଗିରଫ କରିଛି ବୋଲି ସେ କହିବା ପରେ ଏହାକୁ ବିରୋଧ କରି ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଅନ୍ୟ ୩ ନେତାଙ୍କୁ ମଧ୍ୟ ସିବିଆଇ ସେମାନଙ୍କ ଘରୁ ଉଠାଇ ଆଣିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ରାଜ୍ୟପାଳ ଜଗଦୀପ ଧାନକର ଫିରହାଦ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ସିବିଆଇକୁ ଅନୁମତି ଦେଇଥିଲେ। ଅନ୍ୟ ୩ ଜଣ ହେଲେ ରାଜ୍ୟର ମନ୍ତ୍ରୀ ଥିବା ସୁବ୍ରତ ମୁଖାର୍ଜୀ, ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଓ ସୋଭନ ଚାଟାର୍ଜୀ।