ସଂସଦୀୟ କମିଟି ବୈଠକକୁ ଉପ ରାଷ୍ଟ୍ରପତି ଓ ବାଚସ୍ପତିଙ୍କ ନା, ବିରୋଧୀ ଖପ୍ପା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭିଡିଓ କନଫରେନ୍ସିଂ ଜରିଆରେ ସଂସଦୀୟ କମିଟିର ବୈଠକ କରିବାକୁ ବିରୋଧୀ ଦଳ ଗୁଡ଼ିକ ଦେଇଥିବା ପ୍ରସ୍ତାବକୁ ଆଜି ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଅଗ୍ରାହ୍ୟ କରିଦେଇଛନ୍ତି। ବିରୋଧୀଙ୍କ ସହ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ସମର୍ଥନ କରୁଥିବା କିଛି ଦଳ ମଧ୍ୟ ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହେଉ ବୋଲି ଦାବି କରିଥିଲେ। କିନ୍ତୁ ମହାମାରୀ କରୋନା ସଂକ୍ରମଣ ଆଳରେ ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି ବୈଠକ ପାଇଁ ଅନୁମତି ଦେବାକୁ ମନା କରିଦେଛନ୍ତି। କରୋନା ସ୍ଥିତିରେ ସୁଧାର ଆସିଲେ, ଫିଜିକାଲ ମିଟିଂ ହୋଇପାରିବ। ନଚେତ ନିୟମରେ ସଂଶୋଧନ କରିବାକୁ ପଡ଼ିବ ବୋଲି ରାଜ୍ୟସଭା ସେକ୍ରେଟରିଏଟଙ୍କ ପକ୍ଷରୁ ଜାରି ନୋଟ୍‌ରେ କୁହାଯାଇଛି। ଅନ୍ୟପକ୍ଷରେ ଭିଡିଓ କନଫରେନ୍ସଂରେ ସଂସଦୀୟ କମିଟି ବୈଠକ ଗୁଡ଼ିକୁ ଅନୁମତି ମିଳି ନଥିବାରୁ ବିରୋଧୀ ଦଳଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ଏହି ନିଷ୍ପତ୍ତିରେ ମୁଁ ଆଦୌ ଆଶ୍ଚର୍ଯ୍ୟ ହେଉନାହିଁ। କାରଣ ସଂସଦର ଷ୍ଟାଣ୍ଡିଂ କମିଟି ବୈଠକ ଭିଡଓ କନଫରେନ୍ସିଂ ଜରିଆରେ କରିବାକୁ ଅନୁରୋଧ ବର୍ଷେ ହେଲା କରାଯାଉଥିଲେ ହେଁ ଏଥିପାଇଁ ଅନୁମତି ମିଳୁନି। ପ୍ରଧାନମନ୍ତ୍ରୀ ତାଙ୍କର ସବୁ ବୈଠକ ଭିଡିଓ କନଫରେନ୍ସିଂରେ କରୁଛନ୍ତି। କିନ୍ତୁ ପ୍ରାୟ ୩୦ ଜଣ ସାଂସଦଙ୍କ ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା କରିବାକୁ ଅନୁମତି ମିଳୁନି। ଭାରତକୁ ଛାଡ଼ି ଦେଲେ କୌଣସି ଦେଶରେ ସଂସଦ ନିଜର କର୍ତ୍ତବ୍ୟ ଠାରୁ ଏମିତି ଦୌଡ଼ି ପଳେଇବାର ନଜିର ନାହିଁ। ଏତେ ବଡ଼ ବିପର୍ଯ୍ୟୟ ମଧ୍ୟରେ ମୂଲ୍ୟହୀନ ନୂଆ ସଂସଦ ଭବନ କାର୍ଯ୍ୟକୁ ଜରୁରୀ କାମ ତାଲିକାରେ ସ୍ଥାନ ଦେଇ କରାଯାଇ ପାରୁଛି। ହେଲେ ଷ୍ଟାଣ୍ଡିଂ କମିଟିର ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା କରିବାକୁ ଗୋଟିଏ ଛୋଟିଆ ନିୟମରେ ପରିବର୍ତ୍ତନ କରାଯାଇ ପାରୁନାହିଁ।”

Leave a Reply

Your email address will not be published. Required fields are marked *