ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ କିପର ଭାବେ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍ ୧୦ରେ ପ୍ରବେଶ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇସିସି ପକ୍ଷରୁ ଆଜି ଟେଷ୍ଟ ବ୍ୟାଟସମାନଙ୍କ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ତାଲିକାର ୬ନଂ ସ୍ଥାନରେ ପନ୍ତ ରହିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟର୍ର ସର୍ବଶ୍ରେଷ୍ଠ ରାଙ୍କ। ସେ କେବେ ହେଲେ ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍ ୧୦ରେ ପ୍ରବେଶ କରି ନଥିଲେ। ଭାରତ ନିକଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିଥିଲା। ଏଥିରେ ପନ୍ତ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପନ୍ତ ତାଙ୍କ ଟେଷ୍ଟ କ୍ୟାରିୟର୍ରେ ୩ୟ ଶତକ ମଧ୍ୟ ହାସଲ କରିଥିଲେ। ଘରୋଇ ମାଟିରେ ଏହା ତାଙ୍କର ପ୍ରଥମ ଶତକ ଥିଲା। ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍ରେ ହିଁ ପନ୍ତ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆରେ ମଧ୍ୟ ପନ୍ତଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁ ଭାରତ ସିରିଜ୍ ଜିତିଥିଲା। କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବାରୁ ପନ୍ତଙ୍କୁ ଆଇସିସିର ଟପ୍ ଟେନ୍ ଟେଷ୍ଟ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସ୍ଥାନ ମିଳିଛି। ପନ୍ତଙ୍କ ପୂର୍ବରୁ କୌଣସି ଭାରତୀୟ ୱିକେଟ କିପର କେବେ ହେଲେ ଆଇସିସି ଟେଷ୍ଟ ବ୍ୟାଟିଂ ତାଲିକାର ଟପ୍ ୧୦ରେ ସ୍ଥାନ ପାଇ ନଥିଲେ। ପନ୍ତ ନୂଆ ଇତିହାସ ସୃଷ୍ଟି କରିଥିବାରୁ ତାଙ୍କ ଆଇପିଏଲ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛି। ଟେଷ୍ଟ ମ୍ୟାଚ୍ରେ ବିଫଳ ହେଉଥିବା ପନ୍ତଙ୍କୁ ଏକଦା ସ୍କ୍ୱାଡରୁ ବାଦ ଦିଆଯାଇଥିଲା। ତେବେ ୬ ମାସ ମଧ୍ୟରେ ସେ ଜବର ଦସ୍ତ କମବ୍ୟାକ କରିଥିଲେ। ଅଷ୍ଟ୍ରେଲିଆ ମାଟିରେ ସେ ଘରୋଇ ଦଳ ବିପକ୍ଷରେ ୨ଟି ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ।