ଆଜିର ଅନୁଚିନ୍ତା – ଧନତେରାସରେ କାହିଁକି ଝାଡ଼ୁ କିଣାଯାଏ ?

!!! ପ୍ରବଚକ.ଜଗଦୀଶ ପ୍ରସାଦ !!! 

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଧନତେରାସରେ ଭଗବାନ ଧନ୍ୱନ୍ତରୀ, ମା’ ଲକ୍ଷ୍ମୀ ଏବଂ କୁବେରଙ୍କର ପୂଜାର୍ଚ୍ଚନା କରାଯାଏ। ଦୀପାବଳିର ଠିକ୍ ଦିନକ ପୂର୍ବରୁ ଏହି ପୂଜାର୍ଚ୍ଚନା କରାଯାଏ। ଚଳିତବର୍ଷ ନଭେମ୍ବର ୧୩ ତାରିଖରେ ଅର୍ଥାତ୍ ଶୁକ୍ରବାର ଦିନ ଧନତେରାସ ପଡ଼ିବ। ଆଉ ଧନତେରାସରୁ ହିଁ ଦୀପାବଳି ପର୍ବ ସାଧାରଣତଃ ଆରମ୍ଭ ହୋଇଥାଏ। ଧନତେରାସରେ ଲୋକମାନେ ସେମାନଙ୍କର ସମୃଦ୍ଧି ପାଇଁ ଭଗବାନଙ୍କ ନିକଟରେ ଉପାସନା କରନ୍ତି। ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ। ଧନତେରାସ ଦିନ ସୁନା, ରୁପା ଆଦି ମୂଲ୍ୟବାନ ଧାତୁ କିଣିବାର ଏକ ପ୍ରାଚୀନ ପରମ୍ପରା ରହିଛି। ଭାରତର ଗ୍ରାମାଞ୍ଚଳରେ ଅନେକ ଲୋକ ଏହି ଦିନ ଷ୍ଟିଲରେ ତିଆରି ବାସନ କିଣନ୍ତି, ଏହା ବ୍ୟତୀତ ଧନତେରାସରେ ଝାଡ଼ୁ କିଣିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଧନତେରାସରେ ଝାଡ଼ୁ କିଣିବା ଦ୍ୱାରା ମା’ ଲକ୍ଷ୍ମୀ ଘରେ ରୁହନ୍ତି ଏବଂ ଆର୍ଥିକ ପ୍ରତିବନ୍ଧକରୁ ମୁକ୍ତି ଦିଅନ୍ତି। ଆହୁରି ମଧ୍ୟ କୁହାଯାଏ ଯେ ଝାଡ଼ୁ କିଣିବା ପରେ ସେହି ଝାଡ଼ୁରେ ଗୋଟିଏ ଧଳା ସୂତା ବାନ୍ଧି ଦେଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେହି ଘରେ ସର୍ବଦା ରହିଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଝାଡ଼ୁ ହେଉଛି ମା’ ଲକ୍ଷ୍ମୀଙ୍କ ପ୍ରତୀକ। ଧନତେରାସ ଦିନ ଘରେ ଝାଡୁ କିଣାଯାଏ ଏବଂ ତାକୁ ଶୋଇବା ଭଳି ରଖାଯାଏ। କାନ୍ଥକୁ ଲଗାଇ ଛିଡ଼ା କରିବା ଠିକ୍ ନୁହେଁ ବୋଲି କୁହାଯାଏ। ଆଉ ଏହି ଝାଡ଼ୁକୁ ଲୁଚେଇ ରଖିବା ସହ ଯେମିତି କାହାର ନଜର ନ ଲାଗିବ, ତାକୁ ଗୁରୁତ୍ୱ ଦିଆଯାଏ। ଝାଡୁରେ ଗୋଡ଼ ବାଜିବା ବି ଠିକ୍ ନୁହେଁ। ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କୁ ଅସମ୍ମାନ ହୁଏ ବୋଲି ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *