ପାକିସ୍ତାନ ଡ୍ରୋନକୁ ଗୁଳି କରି ଘଉଡ଼ାଇଲେ ଭାରତୀୟ ଯବାନ….!
ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭାରତରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳ ଡ୍ରପ୍ କରିବାକୁ ପାକିସ୍ତାନ କରିଥିବା ଉଦ୍ୟମକୁ ଆଜି ଭାରତୀୟ ସୁରକ୍ଷାକର୍ମୀ ଭଣ୍ଡୁର କରିଦେଇଛନ୍ତି। ଗୁଳିଗୋଳ ଧରି ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିବା ଦୁଇଟି ପାକିସ୍ତାନୀ ଡ୍ରୋନ୍କୁ ଆଜି ବିଏସ୍ଏଫ ଯବାନମାନେ ଗୁଳି ଚଳାଇଛନ୍ତି। ଫଳରେ ସେମାନେ ସୀମାନ୍ତରୁ ହିଁ ପାକିସ୍ତାନକୁ ଫେରି ଯାଇଛନ୍ତି। ଜମ୍ମୁର ଆରନିଆ ସେକ୍ଟର୍ରେ ଏହି ଘଟଣା ଘଟିଛି। ବିଏସ୍ଏଫ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଅନ୍ତର୍ଜାତୀୟ ସୀମା ନିକଟ ଜାବୋୱାଲ ଓ ବିକ୍ରମ ଆଉଟପୋଷ୍ଟ ନିକଟରେ ଦୁଇଟି ଯାକ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଭୋର ୪.୩୦ ଓ ପରେ ୪.୪୫ରେ ଏହାକୁ ଠାବ କରାଯାଇଥିଲା। ଡ୍ରୋନ୍ଗୁଡ଼ିକୁ ଦେଖିବା କ୍ଷଣି ବିଏସ୍ଏଫ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଗୁଳିମାଡ଼କୁ ସମ୍ମୁଖୀନ ହୋଇ ନପାରି ସେମାନେ ପାକିସ୍ତାନ ସୀମାକୁ ଚାଲି ଯାଇଥିଲେ। ଯବାନଙ୍କ ପକ୍ଷରୁ ଡ୍ରୋନଗୁଡ଼ିକୁ ଘଉଡ଼ାଇବା ପାଇଁ ପ୍ରାୟ ୧୫ ରାଉଣ୍ଡ ଗୁଳି ମାଡ଼ କରାଯାଇଥିଲା। ୨୦୦୩ ଅସ୍ତ୍ରବିରତି ଚୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଭାରତ ପାକିସ୍ତାନ ଫେବୃଆରୀ ୨୪-୨୫ରେ ରାଜି ହୋଇଥିଲେ। ଏହାପରଠାରୁ ସୀମାନ୍ତରେ ପାକିସ୍ତାନର କୌଣସି ହରକତ ଦେଖିବାକୁ ମିଳି ନଥିଲା। ହେଲେ ଏବେ ପାକିସ୍ତାନ ପୁଣିଥରେ ନିଜର ପୁରୁଣା ରୋଗ ବାହାର କରିଛି। ପୂର୍ବରୁ ଅନେକ ଥର ଡ୍ରୋନ ଦ୍ୱାରା ପାକିସ୍ତାନ ଗୁଳିଗୋଳା ଓ ଡ୍ରଗ୍ସ ଭାରତକୁ ରପ୍ତାନୀ କରୁଥିବାର ନଜିର ରହିଛି। ଏବେ ସମାନ ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇନାହିଁ। ବିଏସ୍ଏଫର ଡିଆଇଜି ଏସ୍ପିଏସ୍ ସାନ୍ଧୁ କହିଛନ୍ତି, “ପାକିସ୍ତାନର ଡ୍ରୋନ ଅନୁପ୍ରବେଶକୁ ଆଜି ଆରନିଆ ସେକ୍ଟର୍ରେ ବିଏସ୍ଏଫ ଯବାନମାନେ ଭଣ୍ଡୁର କରିଦେଇଛନ୍ତି। ପାକିସ୍ତାନରୁ ଦୁଇଟି ଡ୍ରୋନ୍ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା କ୍ଷଣି ସତର୍କ ରହିଥିବା ବିଏସ୍ଏଫ ଯବାନ ଗୁଳି ଚଳାଇଥିଲେ। ଫଳରେ ଦୁଇଟି ଯାକ ଡ୍ରୋନ୍ ପାକିସ୍ତାନକୁ ଫେରି ଯାଇଛନ୍ତି। ପୂର୍ବରୁ ହିଁ ବିଏସ୍ଏଫର ଗୁଇନ୍ଦା ସଂସ୍ଥା ପାକିସ୍ତାନରୁ ଡ୍ରୋନ୍ ଦ୍ୱାରା ଅନୁପ୍ରବେଶ ହେବାର ଆଶଙ୍କା ଥିବା ସୂଚନା ଦେଇଥିଲା।”

