ବନ୍ଦ ହେଲା ଜଗା ଦର୍ଶନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଲା କଟକଣା। ମେ’ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେନି କି ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି। ଆଜି  ଏନେଇ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ,  କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଳଗାଇବାକୁ ପ୍ରସ୍ତାବ ଦେଇଥିଲେ ସେବାୟତ।  ନିର୍ବିଘ୍ନ ନୀତିକାନ୍ତି ପାଇଁ ସେବାୟତ ସୁସ୍ଥ ରହିବା ଜରୁରୀ ଥିବାରୁ ଏପରି ପ୍ରସ୍ତାବ ଦିଆଯାଇଥିଲେ ସେବାୟତ। ଏହାକୁ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ’ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଅନ୍ୟପକ୍ଷରେ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ ବୋଲି କହିଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ। ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ପରମ୍ପରା ଅନୁସାରେ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ। ସେବାୟତଙ୍କ ପାଇଁ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ହେବ। ଚନ୍ଦନ, ସ୍ନାନ ଓ ରଥ ଯାତ୍ରା ପାଇଁ ପର୍ଯ୍ୟାନ୍ତ ମାସ୍କ ଓ ସାନିଟାଇଜର କିଣାଯିବ।ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପୁରୀରେ ବି ଏହି ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ ୩୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ୍‌ ୨୨ ତାରିଖରେ ଜିଲ୍ଲାରୁ ୩୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୨୧ରେ ୨୮୬ ଜଣ ଚିହ୍ନଟ ହୋଇଥିଲେ। ସେବାୟତଙ୍କ କହିବାନୁଯାୟୀ,  “ଶ୍ରୀମନ୍ଦିରକୁ ଭକ୍ତ ଶୂନ୍ୟ କରିପାରିଲେ ସମସ୍ତେ ସୁରକ୍ଷିତ ରହିପାରିବା। ଆଗକୁ ଚନ୍ଦନ ଯାତ୍ରା, ଅଖି ତୃତିୟା, ସ୍ନାନ ଯାତ୍ରା ପରେ ଆୟୋଜିତ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ।  ତେଣୁ ବର୍ତ୍ତମାନ ସଂକ୍ରମଣର ସ୍ପିଡକୁ ବ୍ରେକ କରା ନଗଲେ ଆଗକୁ ସ୍ଥିତି ଅସମ୍ଭାଳ ହେବ। ଏହାକୁ ବିଚାରକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି।”

Leave a Reply

Your email address will not be published. Required fields are marked *