ଏଥର ସମ୍ଭାଳ ବ୍ୟୁରୋ (ସମ୍ବଲପୁର) – ବିଜେଡି ସରକାର ସରକାରୀ କର୍ମଚାରୀ ଓ ଦଳୀୟ କର୍ମୀଙ୍କ ମଧ୍ୟରେ କୌଣସି ଫରକ ନାହିଁ ବୋଲି ଧରି ନେଇଛନ୍ତି। ଅବଶ୍ୟ ସମସ୍ତେ ଜାଣନ୍ତି, ସମ୍ପ୍ରତି ରାଜ୍ୟ ସରକାରକୁ ବିଜେଡି ଦଳ ବା ଦଳୀୟ ନେତା ନୁହନ୍ତି, ବରଂ ଅଫିସରମାନେ ହିଁ ଚଳାଉଛନ୍ତି। କେହି କିଛି ପ୍ରତିବାଦ ବା ଆପତ୍ତି କରୁନଥିବାରୁ ଏବେ କିଛି ବଡ଼ ଅଫିସର ଆଉ ଲୁଚାଛପାରେ ନୁହେଁ ବରଂ ଖୁଲମଖୁଲା ବିଜେଡି କାମରେ ଲାଗିଛନ୍ତି। ଏହାର ଏକ ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି।  ଓଡ଼ିଶା ସରକାରଙ୍କ ପୂର୍ତ୍ତ ସଚିବ ଭାବେ କାର୍ଯ୍ୟରତ ନଳିନୀକାନ୍ତ ପ୍ରଧାନ ଏବେ ବିଜେଡି ନେତା ପାଲଟିଛନ୍ତି। କେବଳ ସେତିକି ନୁହେଁ ସେ ଏଣିକି ଦଳୀୟ ନେତାଙ୍କ ସହ ପୋଷ୍ଟର ବ୍ୟାନରରେ ଶୋଭା ପାଇଲେଣି।  ବିଜେଡି ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ପ୍ରାର୍ଥୀ କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ନିର୍ବାଚନର ବହୁ ଆଗରୁ ସରକାରୀ ଦାୟିତ୍ୱରେ ଥାଇ ସୁଦ୍ଧା ସେ ପ୍ରଚାର କାମରେ ଭିଡ଼ିଗଲେଣି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଶ୍ରୀ ପ୍ରଧାନଙ୍କ ଫଟୋ ବିଜେଡିର ନେତାମାନଙ୍କ ସହ ପୋଷ୍ଟର ଓ ବ୍ୟାନରରେ ସ୍ଥାନ ପାଇବା ପରେ ସେ ଏବେ ରାଜନୀତିରେ ଏକ ପ୍ରକାର ଯୋଗ  ଦେଇସାରିଥିବା ସ୍ପଷ୍ଟ ହୋଇଛି। ଯଦିଓ ଏବେ ସେ ରାଜ୍ୟ ସରକାରଙ୍କ ପୂର୍ତ୍ତ ସଚିବ ଭାବେ ପ୍ରଶାସନିକ ପଦବୀରେ କାର୍ଯ୍ୟ କରୁଛନ୍ତି ତଥାପି ବିଜେଡି ଏବେ ତାଙ୍କୁ ରାଜନେତା ଭାବେ ସ୍ୱୀକାର କରିସାରିଲାଣି। ଶୁକ୍ରବାର ରେଢ଼ାଖୋଲରେ ବିଜେଡିର ବିକାଶ ସମାବେଶ ପାଇଁ ଲାଗିଥିବା ପୋଷ୍ଟର ଓ ବ୍ୟାନରରେ ଶ୍ରୀ ପ୍ରଧାନଙ୍କୁ ଦଳର ଅନ୍ୟ ନେତାମାନଙ୍କ ସହ ଦେଖିବାକୁ ମିଳିଥିଲା। ଏପରିକି ବ୍ୟାନରରେ ଶ୍ରୀ ପ୍ରଧାନଙ୍କ ଫଟୋଚିତ୍ର ସ୍ଥାନ ପାଇବାରେ କିଛି ଅସୁବିଧା ନାହିଁ ବୋଲି ବିଜେଡି ଓଲଟା ଯୁକ୍ତି ବାଢ଼ିଛି। ଶୁକ୍ରବାର ରେଢାଖୋଲର କଦମ୍ବ ପଡ଼ିଆରେ ଆୟୋଜିତ ବିକାଶ ସମାବେଶ ପାଇଁ ଲାଗିଥିବା ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ସାଂସଦ ପ୍ରତାପ କେଶରୀ ଦେବ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଫଟୋ ସହ ଶ୍ରୀ ପ୍ରଧାନଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଥିଲା। ତେବେ ପୂର୍ତ୍ତ ସଚିବ ପଦବୀରେ ଥାଇ ଶ୍ରୀ ପ୍ରଧାନଙ୍କ ଫଟୋ ଦଳୀୟ ନେତାମାନଙ୍କ ସହ ଲଗାଯିବା ସମ୍ପର୍କରେ ସଫେଇ ଦେଇ ସରକାରୀ ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ଶ୍ରୀ ପୂଜାରୀ କହିଛନ୍ତି ଯେ, ପୋଷ୍ଟରରେ ଦଳୀୟ ଚିହ୍ନ ନାହିଁ। ବିକାଶ ସମାବେଶରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି। ଏଥିରେ କିଛି ଅସୁବିଧା ନାହିଁ।

ସୂଚନା ଅନୁସାରେ ପୂର୍ତ୍ତ ସଚିବ ଶ୍ରୀ ପ୍ରଧାନଙ୍କ ପରିବର୍ଦ୍ଧିତ କାର୍ଯ୍ୟକାଳ ୨୦୧୯ ମାର୍ଚ୍ଚ ମାସରେ ଶେଷ ହେବ। ସେ ୨୦୧୮ ମାର୍ଚ୍ଚ ମାସରେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କ ଚାକିରି ବର୍ଷେ ବଢ଼ାଇଥିଲେ। ଯେତେବେଳେ ବଢ଼ାଇ ଥିଲେ ତାହା ସେତେବେଳେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ରାଜ୍ୟରେ ସାଧାରଣ ନିର୍ବାଚନ ଏପ୍ରିଲରେ ହେବାର ସମ୍ଭାବନା ଥିବାରୁ ଶ୍ରୀ ପ୍ରଧାନ ଏବେଠୁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରି ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛନ୍ତି। ବିଜେଡି ସୂତ୍ର ଅନୁସାରେ ଶ୍ରୀ ପ୍ରଧାନଙ୍କୁ ଦଳ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଗ୍ରୀନ୍ ସିଗନାଲ ଦେଇସାରିଛି। ଏପରିକି ଶ୍ରୀ ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ କରାଯାଉଥିବାର ସନ୍ଦେଶ ଜିଲ୍ଲାର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଦିଆସରିଛି। ତେଣୁ ସେ ଏବେ ପୂର୍ତ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କରି ଅଧିକାଂଶ ସମୟ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିତୁଥିବା ଜଣାପଡ଼ିଛି। ତେବେ ସରକାରୀ ତହବିଲରୁ ମୋଟା ଅଙ୍କର ଦରମା ପାଉଥିବା ଜଣେ ସଚିବ ପାହ୍ୟାର ଅଫିସରଙ୍କ ଫଟୋ କିଭଳି ଦଳୀୟ ବିକାଶ ସମାବେଶ ପାଇଁ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ ଓ ସାଂସଦଙ୍କ ସହ ରହିଲା ଓ ସେ କାହାର ଅନୁମତି ନେଇ ସରକାରୀ କାମ ବଦଳରେ ଦଳୀୟ କାର୍ଯ୍ୟରେ ସମୟ ନିୟୋଜିତ ରହୁଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି।

LEAVE A REPLY

Please enter your comment!
Please enter your name here