ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ୍, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କୋଭିଡ୍ ପାଇଁ ବାତିଲ୍ ହେଲା ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା। ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଏବେ ପାଇଁ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସିବିଏସଇ ପରୀକ୍ଷା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ସହ ବୈଠକ କରିଥିଲେ। ଏହାପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ଜୁନ୍ ୧ରେ ପୁଣିଥରେ ଏ ବାବଦରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସିବିଏସ୍‌ଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ରୁ ଜୁନ୍‌ ୭ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ମେ’ ୪ରୁ ଜୁନ ୧୫ ମଧ୍ୟରେ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ୍‌ ପରୀକ୍ଷାର ମାର୍କ ଅନୁସାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ଯଦି କୌଣସି ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିବେ, ତା’ହେଲେ ସେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା କୋଭିଡ୍ ସଂକ୍ରମଣ କମିବା ପରେ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୟାଲ ନିଶଙ୍କ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜଧାନୀ ଦିଲ୍ଲୀ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ତେଣୁ ସିବିଏସଇ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖି ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିବେଦନ କରିଥିଲେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷା ଏବେ ସ୍ଥଗିତ ରହିବା ଦରକାର ବୋଲି ସେମାନେ କହିଥିଲେ।  ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ତାଙ୍କ ପରୀକ୍ଷା ସ୍ଥଗିତ ରଖିବା ଦାବିକୁ ସମର୍ଥନ କରିଥିଲେ।

Leave a Reply

Your email address will not be published. Required fields are marked *