ପରଲୋକରେ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଛି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏନେଇ ଆପୋଲୋ ଲୋକ ସଂପର୍କ ଅଧିକାରୀ ରାକେଶ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗତ ୭ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନିଜ ଗାଁ ମୋଟରୀ ଆଙ୍କୋଇକୁ ପ୍ରଚାର କରିବା ପାଇଁ ଯାଉଥିଲେ। ସେହି ସମୟରେ ସେ ତଳେ ପଡିଯାଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଶୋକପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି, ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଖବର ପାଇ ମୁଁ ବହୁ ଦୁଃଖିତ। ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ପାତ୍ର ଲେଖିଛନ୍ତି।

Leave a Reply

Your email address will not be published. Required fields are marked *