ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ;ପିପିଲିରେ ବୈଜୟନ୍ତଙ୍କ ପ୍ରଚାର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋର ଧରିଛି ପ୍ରଚାର। ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଡେଲାଙ୍ଗ ଅଞ୍ଚଳରେ ପଦଯାତ୍ରା କରି ଭୋଟ ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବିଜେପି ନେତା ଓ କର୍ମୀଙ୍କ ଗହଣରେ ପ୍ରଚାର ବେଳେ ସେ ପିପିଲିର ବିକାଶକୁ ଅଣଦେଖା କରାଯାଇଥିବା କହିଛନ୍ତି। ତା’ସହିତ ବିଜେପି ପ୍ରାର୍ଥୀଙ୍କ ବିଜୟ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ବୈଜୟନ୍ତ କହିଛନ୍ତି, ବିଜେପି ପ୍ରାର୍ଥୀଙ୍କୁ ନେଇ ଏଠାରେ ସମସ୍ତେ ଉତ୍ସାହିତ ଅଛନ୍ତି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏଠାରେ ବହୁତ ପପୁଲାର। ଗତ ନିର୍ବାଚନରେ ଅଳ୍ପ ଭୋଟ୍ ବ୍ୟବଧାନରେ ସେ ହାରିଥିଲେ। ଏଥର ତାଙ୍କ ସପକ୍ଷରେ ସମର୍ଥନ ରହିଛି। ଆଉ ଆମ ରେଜଲ୍ଟ ବହୁତ ବଢ଼ିଆ ହେବ। ଏହି ଅବସରରେ ସେ ଆସାମର ଉଦାହରଣ ଦେଇ ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ମୁଁ ଆସାମରେ ପାଖାପାଖି ୪ ମାସ ରହି ଏବେ ଫେରିଛି। ଆସାମରେ ବିଜେପି ସରକାର ୫ ବର୍ଷରେ ଯେତିକି ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି, ଓଡ଼ିଶାରେ ୨୧ ବର୍ଷରେ ସେତେ କାମ ହୋଇପାରିନି। ଅନ୍ୟପକ୍ଷରେ ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଚାରକୁ ଜୋର ଦିଆଯାଇଛି। ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ବିଜେଡିର ନେତା ଓ ମହିଳା କର୍ମୀ। ଆଜି ଡେଲାଙ୍ଗ ସଭାରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହିତ ପ୍ରତାପ ଦେବ, ସ୍ନେହାଙ୍ଗୀନି ଛୁରିଆ, ପ୍ରଭାତ ବିଶ୍ୱାଳ ଓ ସଞ୍ଜୟ ଦାସବର୍ମା ପ୍ରମୁଖ ଯୋଗଦେବେ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ କରୋନା ହେବାପରେ ଦଳ ଏବେ ଅକଳରେ ପଡ଼ିଛି। ତଥାପି ଦଳର ହେଭିୱେଟ୍‌ ତାଙ୍କ ପାଇଁ ପ୍ରଚାର କରୁଛନ୍ତି।

Leave a Reply

Your email address will not be published. Required fields are marked *