ଏପ୍ରିଲରୁ ପୁଣି ଚାଲିବ ସବୁ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କରୋନା ଯୋଗୁ ରାଜ୍ୟରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ପୁଣିଥରେ ଚାଲିପାରେ। ଏ ନେଇ ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି, କରୋନା ଭାଇରସ୍ ଲକଡାଉନ୍ ପୂର୍ବରୁ ରାଜ୍ୟରେ ପୂର୍ବତଟ ରେଲୱେର ମୋଟ ୮୨ ଯୋଡ଼ା ଏକ୍ସପ୍ରେସ୍ ଚାଲୁଥିଲା। କିନ୍ତୁ କୋଭିଡ୍-୧୯ କଟକଣା ଲାଗୁ ହେବା ପରଠାରୁ ବିଭିନ୍ନ ରୁଟରେ ୫୯ ଯୋଡ଼ା ଏକ୍ସପ୍ରେସ୍ ଟ୍ରେନ୍ ଚାଲିଛି। ଯାହାକି ପାଖାପାଖି ୭୨ ପ୍ରତିଶତ ଟ୍ରେନ୍ ଚାଲୁଛି। ଆଗକୁ କରୋନା ମାମଲା ଯେତେ କମିବ, ସେତେ ଅଧିକ ଟ୍ରେନ୍ ଚାଲିବ। ଏ ନେଇ ଆମେ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛୁ। ତେଣୁ ଆଶା କରୁଛୁ ଏପ୍ରିଲରୁ ଟ୍ରେନ୍ ସଂଖ୍ୟା ବଢ଼ିବ। ଅଧିକାରୀ ଆହୁରି କହିଛନ୍ତି, ‘ବର୍ତ୍ତମାନ ପାସେଞ୍ଜର ଟ୍ରେନ୍ ସଂଖ୍ୟା କମ୍ ରହିଥିବା ବେଳେ ସ୍ପେଶାଲ୍ ଟ୍ରେନ୍ ଅଧିକ ଚାଲୁଛି।’ ଯେହେତୁ ଏବେ କରୋନା ମାମଲାରେ ସାମାନ୍ୟ ହ୍ରାସ ପାଇଛି, ତେଣୁ ପୁଣିଥରେ ସମ୍ପୂର୍ଣ୍ଣ ଟ୍ରେନ୍ ଚଳାଚଳ ପାଇଁ ଯୋଜନା କରୁଛି ପୂର୍ବତଟ ରେଲୱେ। ତେଣୁ ଏପ୍ରିଲ୍ ମାସରୁ ସବୁ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବା ନେଇ ଆଶାବାଦୀ ଅଛି ପୂର୍ବତଟ ରେଲୱେ। ତେବେ ରାଜ୍ୟ ସରକାର ଓ ପୂର୍ବତଟ ରେଲୱେ ବୋର୍ଡ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ହିଁ କୌଣସି ନିଷ୍ପତ୍ତି ନିଆଯିବ। 

Leave a Reply

Your email address will not be published. Required fields are marked *