ବନ୍ଦ ହେଲା କି ବିଜୁ ଯୁବ ବାହିନୀ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ। ଚଳିତ ଆର୍ଥିକ ବର୍ଷ ବଜେଟରେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ପାଇଁ କୌଣସି ଅର୍ଥ ବ୍ୟବସ୍ଥା କରାଯାଇ ନାହିଁ । ତେଣୁ ବିଜୁ ଯୁବ ବାହିନୀର ଆଉ କୌଣସି କାର୍ଯ୍ୟକ୍ରମ ନାହିଁ। ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ଉକ୍ତି ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ବର୍ତ୍ତମାନ କରାଯାଉ ନାହିଁ। ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ। ବିଜୁ ଯୁବ ବାହିନୀ ବନ୍ଦ ହେବାକୁ  କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ଏନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ନିର୍ବାଚନ ସମୟରେ ନିଜ ସ୍ୱାର୍ଥ ସାକାର କରିବାକୁ ଏହାକୁ ଗଠନ କରିଥିଲେ। ଆମେ ଏହାକୁ ଗୁଣ୍ଡା ବାହିନୀ ବୋଲି କହୁଥିଲୁ। ନିର୍ବାଚନ ପରେ ଆଉ ଏହି ବାହିନୀର ଆବଶ୍ୟକତା ରହିଲା ନାହିଁ। କାମ ସରିବାରୁ ଏହାକୁ ବନ୍ଦ କଲେ। ସରକାର ସେ ଯୁବକମାନଙ୍କୁ କ୍ଷମା ମାଗନ୍ତୁ। ଏଥିସହ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ ସରକାର ସାଧାରଣ ଲୋକଙ୍କ ପଇସା ଏମିତି ଆତ୍ମସାତ ନକରନ୍ତୁ। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ୪୫୦ କୋଟି ଟଙ୍କାର ‘ବିଜୁ ଯୁବ ବାହିନୀ’ ଯୋଜନାରେ ରାଜ୍ୟତମାମ ୨୨.୬୪ ଲକ୍ଷ ଯୁବକଯୁବତୀଙ୍କୁ ସ୍ୱେଚ୍ଛାସେବୀ ଭାବେ ସାମିଲ କରାଯାଇଥିଲା । ମାତ୍ର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଚୟନ ପ୍ରକ୍ରିୟା ଦଳୀୟ ଭିତ୍ତିରେ ହୋଇଥିବାରୁ ସେମାନେ ସମାଜର ପରିବର୍ତ୍ତନ ବାହକ ଭାବେ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରିନଥିବା ଚର୍ଚ୍ଚା ହୋଇଥିଲା। ଯେଉଁଥିପାଇଁ ସରକାରଙ୍କ ବିଜୁ ଯୁବ ବାହିନୀ ସ୍କିମକୁ ଉଭୟ କଂଗ୍ରେସ ଓ ବିଜେପି ଜୋରଦାର ଢଙ୍ଗରେ ବିରୋଧ କରୁଥିଲେ। ଏପରିକି ବିଜେପିର ଅଭିଯୋଗ ଆଧାରରେ ଅଡିଟ୍ ନସରିବା ପର୍ଯ୍ୟନ୍ତ ବିଜୁ ଯୁବ ବାହିନୀ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ନକରିବାକୁ ସିଏଜି ମଧ୍ୟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ। ୨୦୧୮-୧୯ରେ ବିଜୁ ଯୁବ ବାହିନୀ ନାଁରେ ୧୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାପର ଆର୍ଥିକ ବର୍ଷରେ ୧୨୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା।

Leave a Reply

Your email address will not be published. Required fields are marked *