ଏଥର ସମ୍ଭାଳ ବ୍ୟୁରୋ (ଅହମଦାବାଦ)- ଗୁଜରାଟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେପି ବଡ଼ ବିଜୟ ହାସଲ କରିଛି। ଦଳ ସବୁ ସ୍ଥାନରେ ଜବରଦସ୍ତ ପ୍ରଦର୍ଶନ କରି ଜିଲ୍ଲା ସ୍ତରୀୟ ପଞ୍ଚାୟତର ସମସ୍ତ ୩୧ଟି ଆସନରେ ବାଜିମାତ କରିଛି। କଂଗ୍ରେସ ଏଠାରେ ମୂଳପୋଛ ହୋଇଯାଇଛି। ରବିବାର ୮୧ଟି ପୌରପାଳିକା, ୩୧ଟି ଜିଲ୍ଲା ପଞ୍ଚାୟତ ଓ ୨୩୧ ତହସିଲ ପଞ୍ଚାୟତର ଆସନ ପାଇଁ ଭୋଟିଂ ହୋଇଥିଲା। ଆଜି ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଛି। ଫଳାଫଳ ଅନୁଯାୟୀ, ବିଜେପି ସମସ୍ତ ୩୧ଟି ପଞ୍ଚାୟତରେ ଏକତରଫା ବିଜୟ ହାସଲ କରିଛି। ୨୦୧୫ରେ କଂଗ୍ରେସ ୭ଟି, ବିଜେପି ୨୨ଟି ଓ ଅନ୍ୟାନ୍ୟ ଦଳ ଦୁଇଟି ପଞ୍ଚାୟତ ଦଖଲ କରିଥିଲେ। ହେଲେ ଏଥର ବିଜେପି ପୂରା କ୍ଲିନସୁଇପ କରିନେଇଛି। କଂଗ୍ରେସ ଏତେ ଶୋଚନୀୟ ଓ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଯେ ଦଳ ପଶ୍ଚିମାଞ୍ଚଳ ଜିଲ୍ଲାରେ ଗୋଟିଏ ବି ଆସନ ଜିତିବାକୁ ସକ୍ଷମ ହୋଇନାହିଁ। ସେହିପରି ୨୯ଟି ଜିଲ୍ଲାରେ କଂଗ୍ରେସର ବିଜୟ ପ୍ରାର୍ଥୀମାନେ ଦୁଇ ଅଙ୍କର ଭୋଟ ବ୍ୟବଧାନ ମଧ୍ୟ ଛୁଇଁ ନାହାନ୍ତି।ଗୁଜରାଟ ବିଧାନସଭାର ବିରୋଧୀ ଦଳ ନେତା ପରେଶ ଧନାନୀଙ୍କ ନିର୍ବାଚନ ମଣ୍ଡଳୀ ଅମରେଲିରେ ବି କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ହାରିଛି। କଂଗ୍ରେସର ଗଡ଼ କୁହାଯାଉଥିବା ଆନନ୍ଦ, ସର୍ବରକାଣ୍ଠ ଓ ଜାମନଗର ଜିଲ୍ଲାରେ ବି ଦଳ ହାରିଛି। କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଗୁଜରାଟ ମୁଖ୍ୟ ଅମିତ ଛାଭଡ ଓ ବିରୋଧୀ ଦଳ ନେତା ପରେଶ ଧନାନୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ବିଜେପି ପ୍ରଥମଥର ତପାଇ ଜିଲ୍ଲା ପଞ୍ଚାୟତରେ ବାଜିମାତ କରିଛି। କୁହାଯାଉଥିଲା ଯେ କଂଗ୍ରେସ ଗ୍ରାମାଞ୍ଚଳରେ ନିଜର ସ୍ଥିତି ମଜଭୂତ କରିଥିବା ବେଳେ ବିଜେପି ସହରାଞ୍ଚଳରେ ନିଜର ଦବଦବା ଦେଖାଉଛି। ହେଲେ ସମସ୍ତ ୩୧ଟି ଯାକ ପଞ୍ଚାୟତ ବିଜେପି ଦଖଲକୁ ଯିବା ପରେ ସବୁ ଅଙ୍କ ଭୁଲ ହୋଇଯାଇଛି। ବିଜେପିର ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ୪୭୭୪ଟି ତହସିଲରୁ ବିଜେପି ୩୩୨୨ଟି, କଂଗ୍ରେସ ୧୨୪୩, ସ୍ୱାଧୀନ ପ୍ରାର୍ଥୀ ୧୧୫, ଆପ୍ ୩୧, ବିଏସପି ୪, ଅନ୍ୟାନ୍ୟ ଦଳ ୧୬ଟି ଆସନରେ ଜିତିଛନ୍ତି। ଜିଲ୍ଲା ସ୍ତରୀୟ ପଞ୍ଚାୟତର ୯୮୦ ଆସନରୁ ବିଜେପି ୭୮୬, କଂଗ୍ରେସ ୧୬୭, ସ୍ୱାଧୀନ ପ୍ରାର୍ଥୀ ୩, ଆପ୍ ୨, ବିଏସ୍ପି ୧ ଓ ଅନ୍ୟାନ୍ୟ ଦଳ ୪ଟି ଆସନ ଦଖଲ କରିଛନ୍ତି। ନଗରପାଳିକାର ୨୭୨୦ଟି ଆସନରୁ ବିଜେପି ୨୦୬୩, କଂଗ୍ରେସ ୩୮୫, ସ୍ୱାଧୀନ ପ୍ରାର୍ଥୀ ୧୭୨, ଆପ୍ ୯, ବିଏସ୍ପି ୬ ଓ ଅନ୍ୟାନ୍ୟ ଦଳ ୨୪ଟି ଆସନ ଜିତିଛନ୍ତି।